ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ

ନୂଆଦିଲ୍ଲୀ, ୨୨/୦୭ : ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଆଜି ଚାଲିବ ତ ସଂସଦ ? କାରଣ ଗତ ଦୁଇ ଦିନ ଧରି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ସଂସଦରେ ଜାରି ରହିଛି ରାଜନୈତିକ ଅଚଳାବସ୍ଥା। ଗତ ଦୁଇ ଦିନ ଧରି ଉଭୟ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଓ ବିଧାନ କାର୍ଯ୍ୟ ସଠିକ୍ ଭାବେ ହୋଇପାରିନଥିଲା । ବାରମ୍ବାର ଗୃହକୁ ମୁଲତବି କରିବାକୁ ପଡ଼ିଥିଲା । ବିରୋଧୀ ଦଳଗୁଡ଼ିକର ପ୍ରମୁଖ ଦାବି ହେଉଛି ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉପରେ ତୁରନ୍ତ ଚର୍ଚ୍ଚା କରାଯାଉ ।

ସେମାନଙ୍କ କହିବା ଅନୁସାରେ, ଏହା କେବଳ ଗୋଟିଏ ପରୀକ୍ଷାର ପ୍ରଶ୍ନ ନୁହେଁ, ବରଂ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ । ତେଣୁ ସରକାର ଏହି ବିଷୟରେ ସ୍ପଷ୍ଟ ଜବାବ ଦେବା ସହ ଗୃହରେ ବିସ୍ତୃତ ଆଲୋଚନା କରିବା ଆବଶ୍ୟକ ବୋଲି ବିରୋଧୀ ଦାବି କରୁଛନ୍ତି । ଏହା ସହିତ କଂଗ୍ରେସ ଆଉ ଏକ ବିବାଦୀୟ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ଦାବି କରିଛି । ‘କକ୍ରୋଚ୍ ଜନତା ପାର୍ଟି’ ସମ୍ପର୍କିତ ଆନ୍ଦୋଳନ ଓ ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରାଜନୈତିକ ବିବାଦ ଉପରେ ଗୃହରେ ଚର୍ଚ୍ଚା କରିବାକୁ କଂଗ୍ରେସ ଦାବି କରିଛି ।

ଅନ୍ୟପଟେ ସରକାର କହୁଛି, ବିରୋଧୀ ଆଲୋଚନା ଅପେକ୍ଷା ସଂସଦର କାର୍ଯ୍ୟକୁ ବାଧା ଦେବାକୁ ଚାହୁଁଛନ୍ତି । ସରକାର ପକ୍ଷରୁ କୁହାଯାଇଛି ଯେ, ସମସ୍ତ ନିୟମ ଓ ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି କିନ୍ତୁ ବାରମ୍ବାର ହଟ୍ଟଗୋଳ ଯୋଗୁଁ ସାଧାରଣ ବିଧାନ କାର୍ଯ୍ୟ ବ୍ୟାହତ ହେଉଛି । ଆଜିର ବୈଠକରେ ବିରୋଧୀ ଦଳ ପୁଣିଥରେ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ଫଳରେ ସଂସଦର କାର୍ଯ୍ୟ ସୁରୁଖୁରୁରେ ଚାଲିବ ନା ପୁଣି ହଟ୍ଟଗୋଳରେ ଦିନ କଟିଯିବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ଲୋକସଭା ଓ ରାଜ୍ୟସଭା ଉପରେ ।

SBI AD