ନୂଆଦିଲ୍ଲୀ, ୧୪/୯ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ଆୟୋଜନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ | ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ଲୋକସଭା ସାଂସଦମାନେ ରାଜ୍ୟସଭାରେ ଏବଂ ରାଜ୍ୟସଭା ସାଂସଦମାନେ ଲୋକସଭାରେ ବସିବେ। ସମସ୍ତ ସାଂସଦ, ଅଧିକାରୀ ଏବଂ ପରିସରକୁ ଆସୁଥିବା ଲୋକମାନଙ୍କର କରୋନା ଯାଞ୍ଚ କରାଯିବ ଏବଂ ରିପୋର୍ଟ ନକାରାତ୍ମକ ଆସିବା ପରେ ହିଁ ପ୍ରବେଶ ଅନୁମତି ଦିଆଯିବ।
ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ୨୩ଟି ବିଲ ଆଣିବାକୁ ପ୍ରସ୍ତୁତ ଅଛନ୍ତି, ଯେଉଁଥିରେ ୧୧ଟି ଆଧ୍ୟାଦେଶ ସାମିଲ ଅଛି । ଅଧିବେଶନ କାଳରେ ସରକାରଙ୍କ ତରଫରୁ ବହୁତ ଜରୁରୀ ଏଜେଣ୍ଡା ଆଗକୁ ବଢ଼ାଇବାକୁ ଉଦ୍ୟମ କରାଯିବ । ଅନ୍ୟପକ୍ଷରେ ବିରୋଧୀମାନେ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଟାର୍ଗେଟ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏଥିରେ କରୋନା ନେଇ ସରକାରଙ୍କ ପରିଚାଳନା, ଅର୍ଥନୀତି, ଭାରତ-ଚୀନ ସୀମା ଉତ୍ତେଜନା, ବେକାରୀ ସମସ୍ୟା, ଜିଏସଟି ଆଦି ସାମିଲ ରହିଛି ।
ସଂଦରର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବିରୋଧୀ ଦଳ କୃଷି ସଂପର୍କିତ ଜଡ଼ିତ ୩ ବିଧେୟକ ଓ ବ୍ୟାଙ୍କିଙ୍ଗ ନିୟମ ଆଇନକୁ ବିରୋଧ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିବ । ରବିବାର ଲୋକସଭାର ବିଜନେସ ଆଡଭାଇଜରୀ କମିଟିର ବୈଠକରେ ହୋଇଛି, ଯେଉଥିରେ ଭାରତ-ଚୀନ ଉତ୍ତେଜନା, ବେକାରୀ ସମସ୍ୟା, ଆର୍ଥିକ ସଂକଟ ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଆଜି ପ୍ରଥମ ଦିନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଜଣେ ସାଂସଦଙ୍କ ପରଲୋକ ଯୋଗୁଁ ସଂକ୍ଷିପ୍ତ କାର୍ଯ୍ୟକାଳ ରହିବ । ରାଜ୍ୟସଭାରେ ଉପସଭାପତି ନିର୍ବାଚନ ଆଜି ହେବ । ଏଥିରେ ଏନଡିଏର ହରିବଂଶ ଓ ବିରୋଧୀ ଦଳର ଯୁଗ୍ମ ପ୍ରାର୍ଥୀ ମନୋଜ ଝାଙ୍କ ମଧ୍ୟରେ ମୁକାବିଲା ହେବ ।