ଭୁବନେଶ୍ୱର: ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କେତେକ ପ୍ରାନ୍ତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା କଥା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରୁ ଜଣାପଡ଼ିଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।
ତେବେ ପାଗ ଅନୁକୂଳ ଥିବାରୁ ଆଗାମୀ ୨/୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହୋଇପାରେ। ଜାରି କରାଯାଇଥିବା ସୂଚନାରେ ଉଲ୍ଲେଖ ଅଛି, ଆଜି ଓଡ଼ିଶାରେ ପ୍ରବେଶ କରିଥିବା ମୌସୁମୀ ବାୟୁ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ବ୍ୟାପି ଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର କେତେକ ପ୍ରାନ୍ତରେ ପ୍ରବେଶ କରିଛି। ଉତ୍ତର ଅଭ୍ୟନ୍ତର ଓଡ଼ିଶାର କେତେକ ଜିଲ୍ଲା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ବର ଏବଂ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସଙ୍ଗେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।