ଭୁବନେଶ୍ଵର,୯/୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।