୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ହେବ ସ୍କ୍ରାପ

0

ଭୁବନେଶ୍ୱର,୨୩/୨: ରାଜ୍ୟରେ ୨୦ଲକ୍ଷ ୩୯ ହଜାର ୫୦୦ ପୁରୁଣା ଗାଡ଼ି ସ୍କ୍ରାପ ହେବ । ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ଓ ଯେଉଁ ଗାଡ଼ି ଗୁଡ଼ିକର ଫିଟ୍‌ନେସ ନଥିବ ସେଗୁଡ଼ିକୁ ସ୍କ୍ରାପ୍ କରାଯିବ । ସ୍କ୍ରାପ୍ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ/ସ୍କୁଟର ରହିଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି । ବିଜେପି ବିଧାୟକ କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟ୍‌ନେସ୍ ରହିଛି । ଫିଟ୍‌ନେସ୍‌ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପ୍ ପଲିସି ୨୦୨୨ ପ୍ରଣୟନ କରିଛନ୍ତି ।

ସେହିପରି ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ସଂପର୍କିତ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଡ଼କ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪% ବୃଦ୍ଧି ପାଇଥିବା ବେଳେ ତତ୍‌ଜନିତ ମୃତ୍ୟୁସଂଖ୍ୟା ୧୬.୦୯%କୁ ବୃଦ୍ଧି ପାଇଛି। ଆମ ରାଜ୍ୟରେ ୨୦୨୧ ମସିହାରେ ପୂର୍ବବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁସଂଖ୍ୟାର ବୃଦ୍ଧି ହାର ଯଥାକ୍ରମେ ୧୧.୮୯% ଓ ୭.୦୪% ରହିଛି, ଯାହାକି ସର୍ବଭାରତୀୟ ସ୍ତରଠାରୁ କମ୍ ।

SBI AD
Leave A Reply

Your email address will not be published.