ସଜନା ପତ୍ର ପରଟା : ଜାଣନ୍ତୁ, ଘରେ କିପରି କରିବେ ପ୍ରସ୍ତୁତ ?

ଭୁବନେଶ୍ୱର : ସଜନା ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫାଇବର ଥାଏ, ଯାହା ଶରୀରକୁ ଭିତରୁ ମଜବୁତ କରିବାରେ ଏବଂ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। କିନ୍ତୁ କିଛି ଲୋକଙ୍କୁ ସଜନା ପତ୍ରର ସ୍ୱାଦ ପସନ୍ଦ ନଥିବାରୁ ଲୋକେ ଏହାକୁ ଖାଇବାକୁ ଚାହାନ୍ତି ନାହିଁ। ଯଦି ଏହାକୁ ପରଟାରେ ମିଶାଇ ପ୍ରସ୍ତୁତ କରାଯାଏ, ତେବେ ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ଆବଶ୍ୟକ ସାମଗ୍ରୀ : 
ଅଟା: ୨ କପ, ସଜନା ପତ୍ର ୧ କପ, କଟା ପିଆଜ: ୧ଟି, କଟା କଞ୍ଚା ଲଙ୍କା: ୨ଟି, ଛେଚା ଅଦା, ଜୁଆଣି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଦହି, ଲୁଣ, ଘିଅ କିମ୍ବା ତେଲ

ପ୍ରଥମେ ସଜନା ପତ୍ରଗୁଡ଼ିକୁ ଡାଙ୍ଗରୁ ଅଲଗା କରି ଭଲଭାବେ ଧୋଇ ନିଅନ୍ତୁ। ଏହାପରେ ଏହାକୁ କାଟି ନିଅନ୍ତୁ। ଏହାପରେ ଗୋଟିଏ ବଡ଼ ପାତ୍ରରେ ଅଟା, କଟା ସଜନା ପତ୍ର, ପିଆଜ, କଞ୍ଚା ଲଙ୍କା, ଅଦା, ଜୁଆଣି, ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଦହି ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଏହାପରେ ଅଳ୍ପ ଅଳ୍ପ ପାଣି ଦେଇ ନରମ କରି ଚକଟି ନିଅନ୍ତୁ ଏବଂ ଓଦା କପଡ଼ାରେ ୧୫-୨୦ ମିନିଟ୍ ଘୋଡ଼ାଇ ରଖନ୍ତୁ।

ଅଟାରୁ ଛୋଟ ଛୋଟ ଗୋଳା ବନାଇ ଶୁଖିଲା ଅଟା ସାହାଯ୍ୟରେ ଗୋଲ ପରଟା ବେଲି ନିଅନ୍ତୁ। ତାୱା ଗରମ କରି ଧୀମା ଆଞ୍ଚରେ ପରଟାର ଦୁଇ ପାଖ ହାଲୁକା ସେକିବା ପରେ ଘିଅ କିମ୍ବା ତେଲ ଲଗାଇ ଭାଜନ୍ତୁ। ଏହି ଗରମ ଗରମ ସଜନା ପତ୍ର ପରଟାକୁ ଦହି, ଚଟଣି କିମ୍ବା ଆଚାର ସହ ଖାଇପାରିବେ। ସ୍ୱାଦ ବଢ଼ାଇବା ପାଇଁ ଅଟାରେ ୧ ଚାମଚ ବେସନ କିମ୍ବା ଛେଚା ପନୀର ମିଶାଇ ପାରିବେ।