କିଟ୍‍ ଓ କିସ୍‍ ପରିଦର୍ଶନ କଲେ ମୋତିଲାଲ୍‍ ଓସୱାଲ୍‍ ଫାଉଣ୍ଡେସନ୍ ଭାଇସ୍‍ ଚେୟାରପର୍ସନ ସୁନିତା ଅଗ୍ରୱାଲ

ଭୁବନେଶ୍ୱର, ୨୮/୦୩ : କିଟ୍‍ ଓ କିସ୍‍ ପରିଦର୍ଶନ କଲେ ସୁନିତା ଅଗ୍ରୱାଲ। ମୋତିଲାଲ୍‍ ଓସୱାଲ୍‍ ଫାଉଣ୍ଡେସନ୍ ଭାଇସ୍‍ ଚେୟାରପର୍ସନ ସୁନିତା ଅଗ୍ରୱାଲ୍‍ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ସେ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ପରିଦର୍ଶନ କରିବା ସହ କିସ୍‍ର ସମସ୍ତ ୟୁନିଟ୍‍ ବୁଲି ଦେଖିଥିଲେ । ଏହି ଅବସରରେ କିସ୍‍ର ୧୦ହଜାର ଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ସୁନିତା କହିଲେ, କିସ୍‍ ଭଳି ଅନୁଷ୍ଠାନ ଅଦ୍ୱିତୀୟ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ପିଲାମାନଙ୍କୁ ପରାମର୍ଶ ଦେଇ ସେ କହିଲେ ତୁମେମାନେ ସ୍ୱପ୍ନ ଦେଖ । ଡକ୍ଟର ସାମନ୍ତଙ୍କ ଭଳି ସ୍ୱପ୍ନ ଦେଖିବାକୁ ସେ ପରାମର୍ଶ ଦେଇଥିଲେ । କହିଦେବା ବହୁତ ସହଜ ମାତ୍ର କିସ୍‍ ଭଳି ତୃଣମୂଳସ୍ତରରେ କାମ କରିବା ବହୁତ କଷ୍ଟ ବୋଲି ସେ କହିଥିଲେ । କିସ୍‍କୁ ଦେଖିଲେ ବହୁତ ଖୁସି ଲାଗିଥାଏ । ତୁମେମାନେ ଭାଗ୍ୟବାନ ଯେ ତୁମେମାନେ କିସରେ ପାଠ ପଢ଼ିବାର ସୁଯୋଗ ପାଇଛ । ଏହାର ସଦୁପେଯୋଗ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କିସ୍ ବଲାଙ୍ଗିରି ପିଲାଙ୍କ ସହ ଆଭାସୀ ମାଧ୍ୟରେ ସିଧାସଳଖ ଭାବ ବିନିମୟ କରିଥିଲେ। ଡକ୍ଟର ସାମନ୍ତ ସ୍ୱାଗତ ଭାଷଣ ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ସୁନିତା ଅଗ୍ରୱାଲଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କିସ୍‍ ଓ କିଟ୍‍ ପରିଦର୍ଶନରେ ଆସିଥିବାରୁ ସେ ସୁନିତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।