ଭୁବନେଶ୍ବର,୨୩/୧୨ : ହାଇଦ୍ରାବାଦରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୬୬,୭୮୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ସ୍ବାକ୍ଷରିତ ଏମ୍ଓୟୁଗୁଡ଼ିକ କିଭଳି ଶିଳ୍ପରେ ପରିଣତ ହେବ ସେଦିଗରେ ସରକାର ଆସନ୍ତା ତିନି ମାସ କାର୍ଯ୍ୟ କରିବେ। ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ଆମ ନୀତି ଅନ୍ୟ ରାଜ୍ୟଠାରୁ ବହୁତ ଭଲ। ଆମ ପାଖରେ ଦୃଢ଼ ବନ୍ଦର, ସଡ଼କ ଓ ରେଳ ଭିତ୍ତିଭୂମି ଓ ମାନବ ସମ୍ବଳ ରହିଛି। ରାଜ୍ୟକୁ ଆସୁଥିବା ଶିଳ୍ପ ପ୍ରସ୍ତାବଗୁଡ଼ିକୁ କାରଖାନାରେ ପରିଣତ କରିବା ଉପରେ ଆମେ ଧ୍ୟାନ ଦେଉଛୁ। ମୁଁ ବ୍ୟକ୍ତିଗତ ଭାବେ ଏହା ଉପରେ ନଜର ରଖିଛି।
ହାଇଦ୍ରାବାଦ ଗସ୍ତ ସମୟରେ ପ୍ରତିରକ୍ଷା କମ୍ପାନି ‘ଭାରତ ଡାଇନାମିକ୍ସ’କୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିଥିଲେ। ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଷ୍ଟାର୍ଟଅପ୍ଗୁଡ଼ିକ କିଭଳି ବିଭିନ୍ନ ଉପକରଣ ଯୋଗାଇବେ ସେନେଇ ସେଠାରେ ଆଲୋଚନା ହୋଇଥିଲା। ଏଥିସହିତ ଫାର୍ମା ଓ ପ୍ରତିରକ୍ଷାକୁ ନେଇ ଦୁଇଟି ସ୍ବତନ୍ତ୍ର ରାଉଣ୍ଡ୍ଟେବୁଲ ବୈଠକ ହୋଇଥିଲା। ଏହି ଅବସରରେ ୨୭,୬୫୦ କୋଟି ଟଙ୍କାର ୧୩ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଏହା ବ୍ୟତୀତ ୩୯,୧୪୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୬,୩୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୫ ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପରଠାରୁ ରାଜ୍ୟକୁ ଆସିଥିବା ନିବେଶ ପ୍ରସ୍ତାବ ମଧ୍ୟରୁ ସରକାର ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି। ଶିଳ୍ପାୟନରେ ମିଳିଥିବା ସଫଳତା ପ୍ରଧାନମନ୍ତ୍ରୀଙ୍କ ‘ମିଡାସ୍ ଟଚ୍’ (ମୁଦ୍ରାୟନ ସାମର୍ଥ୍ୟ) ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ଆସନ୍ତା ମାସରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬ ଆୟୋଜନ କରାଯିବ। ଖୁବ୍ଶୀଘ୍ର କୋଲକାତା ଓ ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ।
ହାଇଦ୍ରାବାଦ ସମ୍ମିଳନୀରେ ଧାତବ ଓ ଆନୁଷଙ୍ଗିକ କ୍ଷେତ୍ରରୁ ସର୍ବାଧିକ ୧୯,୫୭୫ କୋଟି, ରେୟାର ଆର୍ଥ ପ୍ରୋସେସିଂରେ ୧୪,୮୦୦ କୋଟି, ଇଏସ୍ଡିଏମ୍ରେ ୧୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକଗଣ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।