ନୂଆଦିଲ୍ଲୀ,୧୮/୧୧ : ଆଗାମୀ ୨୦୧୩ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ର ପୋଷାକ ଏବଂ ସ୍ପୋର୍ଟସ୍ କିଟ ତିଆରି କରିବ ଏମପିଏଲ । ବିସିସିଆଇ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ବିସିସିଆଇ ମହିଳା କ୍ରିକେଟ୍ ଟିମ୍, ପୁରୁଷ ଟିମ୍ ଓ ଅଣ୍ଡର ୧୯ ଟିମ୍ର ଜର୍ସି ପାଇଁ ଏମପିଏଲ ସ୍ପୋର୍ଟସ୍ ସହ ୩ ବର୍ଷର ଚୁକ୍ତି କରିଛି ।
ଦଳର ନୂଆ କିଟ୍ ପ୍ରାୟୋଜକ ଭାବେ ମୋବାଇଲ୍ ପ୍ରିମିୟର ଲିଗ୍ ବା ଏମପିଏଲ ଭାରତର ସବୁଠାରୁ ବଡ ଇ-ସ୍ପୋର୍ଟସ୍ ପ୍ଲାଟଫର୍ମ ଅଟେ । ନୂଆ ଚୁକ୍ତି ଅନୁସାରେ, ଏମପିଏଲ ସ୍ପୋର୍ଟସ୍ ୨୦୨୦ ନଭେମ୍ବରରୁ ଡିସେମ୍ବର ୨୦୨୩ ଯାଏଁ ଦଳର କିଟ୍ ସ୍ପନସର୍ ରହିବ । ଏମପିଏଲ ସ୍ପୋର୍ଟସ୍ ନଭେମ୍ବର ୨୦୨୦ରେ ଅଷ୍ଟ୍ରେଲିଆ ଗସ୍ତରୁ ଚୁକ୍ତି ଅନୁସାରେ କିଟ୍ ଯୋଗାଇବ ।
ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ଏମପିଏଲ ସ୍ପୋର୍ଟସ୍ ଦ୍ୱାରା ଡିଜାଇନ୍ ଓ ତିଆରି ହୋଇଥିବା କିଟରେ ଦେଖିବାକୁ ମିଳିବେ । ଟିମ୍ ଇଣ୍ଡିଆର ଜର୍ସି ବ୍ୟତୀତ ଏମପିଏଳ ସ୍ପୋର୍ଟସ୍ ଲାଇସେନ୍ସ ପ୍ରାପ୍ତ ଭାରତୀୟ ଦଳର ଅନ୍ୟ ସାମଗ୍ରୀ ମଧ୍ୟ ବିକ୍ରି କରିପାରିବ । ଏହି ଚୁକ୍ତିକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଯେ,ଏହା ଭାରତୀୟ ଦଳ ଓ ଦେଶରେ ଖେଳକୁ ଏକ ସ୍ୱତନ୍ତ୍ର ସ୍ତରକୁ ନେବ । ଏମପିଏଲ ଯୁବ ଭାରତୀୟ ଖେଳାଳିଙ୍କ ସହ କାମ କରିବା ନେଇ ଆଶା କରାଯାଉଛି । ଏମପିଏଲ ଉଚ୍ଚ ଗୁଣବତ୍ତାର କିଟ୍ ଯୋଗାଇବ । କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ କ୍ରିକେଟ ପ୍ରେମୀଙ୍କୁ ଭାରତୀୟ ଦଳର ଜର୍ସି ମିଳିପାରିବ ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ କହିଛନ୍ତି ଯେ, ୨୦୨୩ ସୁଦ୍ଧା ଏମପିଏଲ ଭାରତୀୟ ମହିଳା ଓ ପୁରୁଷ ଟିମକୁ କିଟ୍ ଯୋଗାଇବ । ଏହା ଭାରତୀୟ କ୍ରିକେଟ୍ ପାଇଁ ଏକ ନୂଆ ଯୁଗ ସଦୃଶ ।