ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ମଜିଲେ ଦର୍ଶକ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ହରଗୌରାଷ୍ଟକମ୍‍, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶ୍ରୀନିବାସ ଶତପଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଶୁଣିପାରୁନଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ରଙ୍କ ଦ୍ୱାରା ପ୍ରଥମେ ମଙ୍ଗଳାଚରଣ ଶିବ ପରେ ପରେ ଅଭିନୟ ସଜନି ଗୋ ନଯାଣି ପିରତି ଯାହା କଲି ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗା ଚରଣ ରଣବୀର ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ସୁକାନ୍ତ କୁମାର କୁଣ୍ଡୁ ତାଙ୍କ ଅନ୍ତିମ ପ୍ରସ୍ତୁତିରେ ଥିଲା ରାଗ-ସାରଙ୍ଗ ଉପରେ ପର୍ଯ୍ୟବେସିତ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ସୋନାଲି ମହାପାତ୍ର ଓ ସଂଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ନିର୍ମଳ କୁମାର ମହାପାତ୍ର। ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଜୌତ୍ସାରାଣୀ ସାହୁ ଓ ସାଥୀଙ୍କ।

ଆଜିର ସନ୍ଧ୍ୟାର ଅତିଥୀମାନେ ଥିଲେ ଓଡ଼ିଶା ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୈାତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ‎୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର; ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।