ଆଇପିଏଲ : ସୂର୍ଯ୍ୟଙ୍କ ତେଜରେ ଚମକିଲା ମୁମ୍ବାଇ, ରାଜସ୍ଥାନକୁ ଦେଲା ୧୯୪ ରନର ଟାର୍ଗେଟ

ଦୁବାଇ, ୬/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ ୭୯ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ କ୍ଵିଣ୍ଟନ ଡିକକ୍‌ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୪.୫ ଓଭରରେ ୪୯ ରନ ଯୋଡିଥିଲେ। ଡିକକ୍ ୧୫ ବଲରୁ(୩ ଚୌକା ଓ ୧ ଛକା) ୨୩ ରନ କରି କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ୩୫ ରନର ଇନିଂସ ଖେଳି ଶ୍ରେୟସ ଗୋପାଲଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୮୮ ରନରେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିବା ମୁମ୍ବାଇକୁ ସେହି ସ୍କୋରରେ ଇଶାନ କିଶନଙ୍କ ରୂପେ ତୃତୀୟ ଝଟକା ଲାଗିଥିଲା। ଇଶାନ ପ୍ରଥମ ବଲରେ ବଡ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ।

ଏହା ପରେ କୃଣାଲ ପାଣ୍ଡ୍ୟା କ୍ରିଜକୁ ଆସିଥିଲେ ମଧ୍ୟ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିପାରିନଥିଲେ। ସେ ୧୭ ବଲରୁ ୧୨ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଆଇପିଏଲରେ ଅଷ୍ଟମ ଅର୍ଦ୍ଧଶତକ ହାସଲ କରିଥିଲେ।

ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଯାଦବ ୪୭ ବଲରୁ ଅପରାଜିତ (୧୧ ଚୌକା ଓ ୨ ଛକା) ୭୯ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ ଦ୍ରୁତ ୩୦ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୭୬ ରନ ଯୋଡିଛନ୍ତି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶ୍ରେୟସ ଗୋପାଲ ସର୍ବାଧିକ ୨ଟି ସଫଳତା ପାଇଥିଲେ। ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତ୍ୟାଗୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।