ଅଡୁଆରେ ଅନୁରାଗ କଶ୍ୟପ: ପାୟଲ ଘୋଷଙ୍କ ଅଭିଯୋଗ ପରେ ସମନ ପଠାଇଲା ମୁମ୍ବଇ ପୁଲିସ

ମୁମ୍ବଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନଶୋଷଣ ଅଭିଯୋଗ ମାମଲାରେ ଆଜି ଭର୍ସୋଭା ପୁଲିସ ଷ୍ଟେସନରେ ହାଜର ହେବାକୁ ଅନୁରାଗଙ୍କୁ ଆଜି ସମନ ପଠାଇଛି ମୁମ୍ବଇ ପୁଲିସ।

ସୂଚନାଯୋଗ୍ୟ ଯେ, ଅନୁରାଗଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ବାରମ୍ବାର ପାୟଲ ତାଙ୍କ ଗିରଫ ଦାବି କରୁଛନ୍ତି। ପାୟଲଙ୍କ ଅଭିଯୋଗ ଅନୁସାରେ, ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିବା ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ନିକଟରେ ସେ ଟ୍ୱିଟ୍‍ କରି ଏହାର ଖୁଲାସା କରିଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ। ଏହାସହିତ ପାୟଲ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ମଧ୍ୟ ଭେଟିଥିଲେ। ଏବେ ମୁମ୍ବଇ ପୁଲିସ ପଚରାଉଚରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି।

ଅପର ପକ୍ଷରେ, ପାୟଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ପାୟଲ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି।