ଲମତାପୁଟ,୫/୧୧ : ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରି ସୁନା ଗହଣା ଲୁଟି ନେଲେ ଦୃର୍ବୁତ୍ତ । ମୃତ ମହିଳା ହେଲେ ସାବିତ୍ରୀ ଖରା ହୋଇଥିବା ବେଳେ ସ୍ବାମୀଙ୍କ ନାମ ମହେନ୍ଦ୍ର ଖରା ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଏଭଳି ବୀଭତ୍ସ ଘଟଣା ଘଟିଛି ।
ଖବର ଅନୁଯାୟୀ, ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ଏଭଳି ଅମାନୁଷିକ ଘଟଣା ଘଟିଛି। ଉଭୟ ଦମ୍ପତି କୌଣସି କାମରେ ନନ୍ଦପୁର ବ୍ଲକ୍ ଯାଇଥିଲେ। ସେଠାରେ କାମ ସାରି ଉଭୟ ବାଇକ୍ ଯୋଗେ ଫେରୁଥିଲେ। ବାଟରେ ୪ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ଏହି ଦମ୍ପତିଙ୍କୁ ଅଟକାଇବା ପରେ ଅଚାନକ ମହେନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ମାରି ମହେନ୍ଦ୍ରଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ମାଡ଼ ମାରିଥିଲେ। ଏପରିକି ସାବିତ୍ରୀଙ୍କୁ ସେମାନେ ଅସଦାଚରଣ କରିଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତଙ୍କ ଶକ୍ତ ମାଡ଼ରେ ସାବିତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ତାଙ୍କର ସମସ୍ତ ସୁନା ଅଳଙ୍କାର, ଟଙ୍କା ଆଦି ଲୁଟି ନେଇଥିଲେ ।
ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସଂଜ୍ଞାହୀନ ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଚିକିତ୍ସା ପରେ ମହେନ୍ଦ୍ରଙ୍କ ଚେତା ଫେରିଥିଲା। ଏହାପରେ ସେ ସମ୍ପୂର୍ଣ ଘଟଣା ସମ୍ପର୍କରେ କହିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି। ଆଜି ଶବ ବ୍ୟବଚ୍ଛେଦ କରାଯିବ। ଏପଟେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।