ରାୟଗଡ଼ା, ୨୨/୯ : ଦୀର୍ଘ ୩ ମାସ ପରେ ପାହାଡ ପଥର ଖୋଲ ଭିତରୁ ନରକଙ୍କାଳ ଉଦ୍ଧାର କଲା ପୁଲିସ୍ । ଏକତରଫା ପ୍ରେମକୁ କେନ୍ଦ୍ର କରି ତିନି ମାସ ତଳେ ଏହି ହତ୍ୟା ହୋଇଥିବା ଜଣାପଡିଛି। ଏହି ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଚନ୍ଦ୍ରପୁର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ହେଲେ କନ୍ଧମାଳ ଜିଲ୍ଲାର କୁଟଗଡ ଗ୍ରାମର ମନୋରଂଞ୍ଜନ ବଳିଆର ସିଂ।
୩ ମାସ ହେଲା ମନୋରଂଞ୍ଜନ ନିଖୋଜ ଥିଲେ। ଏ ନେଇ ତାଙ୍କ ଭାଇ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଷମ କଟକ ଓ ଚନ୍ଦ୍ରପୁର ଥାନା ପୋଲିସ୍ ଘଟଣାର ଖୋଳତାଡ୍ ଆରମ୍ଭ କରିଥିଲା। ତଦନ୍ତ ଚାଲିଥିବା ସମୟରେ ହତ୍ୟା ଅଭିଯୋଗରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଘୁନାଥ ଭଟ ଗୁଡାରି ଥାନା ଅନ୍ତର୍ଗତ ପଙ୍କବାଡି ଗ୍ରାମର ନକୁଳ ଦଣ୍ଡସେନା, ବିଷମକଟକ ଥାନା ଅନ୍ତର୍ଗତ ସିନ୍ଧିପଙ୍କା ଗ୍ରାମର ଗଣେଶ୍ବର ସାହୁ ଏବଂ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ହନୁମନ୍ତପୁର ଗ୍ରାମର ବୋଲି ଜଣାପଡିଛି।
ପୋଲିସ୍ର ସୂଚନା ଅନୁସାରେ ଏହି ତିନି ଅଭିଯୁକ୍ତ ପ୍ରଥମେ ତାଙ୍କୁ ଦେଶୀ ବନ୍ଧୁକ ସାହାଯ୍ୟରେ ଗୁଳି କରିଥିଲେ। ଏହା ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତ ମନୋରଂଞ୍ଜନ ବଳିଆରସିଂଙ୍କ ମୃତଦେହକୁ ପାହାଡ ପଥର ଖୋଲରେ ଚାପି ଦେଇଥିଲେ।
ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ ଏକ ତରଫା ପ୍ରେମ କରୁଥିଲେ ମନୋରଂଞ୍ଜନ ବଳିଆର ସିଂ। ମନୋରଂଞ୍ଜନ ନକୁଳଙ୍କ ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ଦେଖା କରିବା ଲାଗି ତାଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହାକୁ ନକୁଳଙ୍କ ପରିବାର ବିରୋଧ କରି ଆସୁଥିଲେ। ଶେଷରେ ମନୋରଂଜନଙ୍କୁ ରାସ୍ତାରୁ ସବୁଦିନ ହଟାଇ ପାଇିଁ ଯୋଜନା କରିଥିଲେ। ଶେଷରେ ତାଙ୍କୁ ହତ୍ୟା କରିଥିଲେ।