ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୩୦ /୧୨: ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ନିମୋନିଆରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ନିମୋନିଆରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ।

ବାରିପଦାରେ ଜନ୍ମିତ ଏହି ପ୍ରତିଭା ଜଣେ ଜିଓଫିଜିଷ୍ଟ ଥିଲେ। ଆଇଆଇଟି ଖଡ଼ଗପୁରରୁ ପାସ୍‌ କରିବା ପରେ ଓଡ଼ିଶା ମାଇନିଂ କର୍ପୋରେସନ୍‌ରେ ଚାକିରି କରିଥିଲେ। କିନ୍ତୁ କେବେବି ସଙ୍ଗୀତକୁ ଛାଡ଼ି ନାହାନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି। ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ । ସଙ୍ଗୀତ ଜଗତକୁ ଅନବଦ୍ୟ ଅବଦାନ ଲାଗି ତାଙ୍କୁ ୨୦୧୧ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି।