ପୃଥିବୀ ଆଡ଼କୁ ମାଡ଼ି ଆସୁଛି ରହସ୍ୟମୟ ଧୂମକେତୁ 3I/ATLAS । ଏହାକୁ ରୋକିବାକୁ ପୃଥିବୀର ଗ୍ରହ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି ମିଳିତ ଜାତିସଂଘ । ପୃଥିବୀ ନିଜର ରକ୍ଷାତ୍ମକ ଉପାୟକୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଛି । ଏହାର ଆଶ୍ଚର୍ଯ୍ୟଚକିତ କଲା ଭଳି ଫଟୋ ଜାରି ହୋଇଛି । ମାଡ଼ି ଆସୁଥିବା 3I/ATLASକୁ ଏକ ଧୁମକେତୁ ବୋଲି ବିବେଚନା କରାଯାଇଥିବା ବେଳେ ରହସ୍ୟମୟ ଏଲିଅନ ନେଇ ଆଉ କିଛି ଦାବି କରୁଥିବା କହିଛନ୍ତି ଜାତିସଂଘ ଅଧିକାରୀ । ଏଥିପାଇଁ ବୈଜ୍ଞାନିକମାନଙ୍କ ଏକ ବୈଶ୍ବିକ ଟିମ ଦୁଇମାସିଆ ଅଭିଯାନ ଆରମ୍ଭ କରିଛନ୍ତି । ସନ୍ଦେହ କରାଯାଉଥିବା ଧୂମକେତୁ ପୃଥିବୀର ନିକଟକୁ ଆସିବା ପରେ ଏହା ସଂପର୍କରେ ବିସ୍ତୃତ ତଥ୍ୟ ଜଣାପଡ଼ିପାରିବ ।
ଇଣ୍ଟରନ୍ୟାସନାଲ ଆଷ୍ଟ୍ରଏଡ ୱାର୍ଣ୍ଣିଂ ନେଟୱର୍କ ଏହାକୁ ଭବିଷ୍ୟତରେ ପୃଥିବୀକୁ କ୍ଷତି ପହଞ୍ଚାଇବାକୁ ଆସୁଥିବା ସମ୍ଭାବିତ କ୍ଷୁଦ୍ରଗ୍ରହଙ୍କୁ ରୋକିବାକୁ ପ୍ରସ୍ତୁତିର ଏକ ପ୍ରମୁଖ ଅଭ୍ୟାସ ବୋଲି ବିବେଚନା କରିଛି । ଡିସେମ୍ବର ୧୯ରେ 3I/ATLAS ପୃଥିବୀର ସବୁଠାରୁ ନିକଟତମ ସ୍ଥାନରେ ପହଞ୍ଚିବ । ତେବେ ଏହା ଦ୍ବାରା କୌଣସି କ୍ଷତି ହେବ ନାହିଁ ବୋଲି ଜାତିସଂଘ ଅଧିକାରୀ ଯୁକ୍ତି ବାଢିଛନ୍ତି । 3I/ATLASର ଆକାର ମାନହଟ୍ଟନ ସହର ସହ ସମାନ। ଏହାର ଓଜନ ୩୩ ବିଲିୟନ ଟନରୁ ଅଧିକ ।
୭ବିଲିୟନ ବର୍ଷ ପୁରୁଣା ଏହି ଧୂମକେତୁ ଘଣ୍ଟାକୁ ୧୨୫ହଜାର ମାଇଲ ବେଗରେ ଗତି କରୁଛି । ଆଶ୍ଚର୍ଯ୍ୟଜନକ ଫଟୋରେ ଏହାର ଏକ ଉଜ୍ବଳ ମୁଣ୍ଡ ଦେଖାଯାଉଛି ଯାହାକୁ କୋମା ନାମରେ ନାମିତ କରାଯାଇଛି । ଏହା ସହ ଏହାର ଲାଞ୍ଜ ବି ଦୃଶ୍ୟମାନ ହେଉଛି ଯାହା ୬ଲକ୍ଷ ମାଇଲରୁ ଅଧିକ ଦୂର ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହି ଫଟୋକୁ ହାର୍ଭାଡର ପ୍ରଫେସର ଆଭି ଲୋଏଭ ନଭେମ୍ବର ୨୨ ଓ ୨୪ ତାରିଖରେ ଉତ୍ତୋଳନ କରିଛନ୍ତି । କୋନ ଆକୃତିର ଏହି ଧୂମକେତୁର ରଙ୍ଗ ଝାପସା ଉଜ୍ବଳ ସବୁଜ । କିଛି ଦୂର୍ଲଭ ଫଟୋକୁ ଜାପାନ, ସ୍ପେନ ଓ ଚିଲି ସହ ବିଶ୍ବର ସୈଖୀନ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ଛୋଟ ଦୁରବୀନ ସହାୟତାରେ ଉତ୍ତୋଳନ କରାଯାଇଛି ।