ନୂଆଦିଲ୍ଲୀ: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚୀନର ସ୍ଥିତିକୁ ଦେଖି ଭାରତ ସରକାର ସଜାଗ ହୋଇଯାଇଛନ୍ତି । ବୁଧବାର ଠାରୁ କେନ୍ଦ୍ର ସରକାର କରୋନା ସମ୍ବନ୍ଧରେ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନ୍ୟପକ୍ଷରେ ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ନୂତନ ନାଜାଲ କରୋନା ଟିକା ବିଷୟରେ ସୂଚନା ଦେଇଛନ୍ତି ।
ମାନସୁଖ ମାଣ୍ଡଭିଆ ରାଜ୍ୟସଭାରେ କହିଛନ୍ତି ଯେ ବିଶେଷଜ୍ଞ କମିଟି ନାଜାଲ ଟିକାକୁ ମଧ୍ୟ ଅନୁମୋଦନ କରିଛନ୍ତି, ଅର୍ଥାତ ଆଗାମୀ ଦିନରେ କୌଣସି ବ୍ୟକ୍ତିଙ୍କୁ ଇଞ୍ଜେକ୍ସନ ଦରକାର ହେବ ନାହିଁ ଏବଂ ନାକରେ ଏକ ବୁନ୍ଦାପକାଇବ ଦ୍ୱାରା ଏହା ଲାଭଦାୟକ ସାବ୍ୟସ୍ତ ହେବ ।
ସୂଚନାଯୋଗ୍ୟ ଯେ ନଭେମ୍ବର ୨୮ ରେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଘୋଷଣା କରିଥିଲାଯେ ଇନକୋଭାକ୍ ବିଶ୍ୱର ପ୍ରଥମ କୋଭିଡ ଟିକା ହୋଇପାରିଛି ଯାହା ନାକ ମାଧ୍ୟମରେ (ଛୁଞ୍ଚି ବିନା) ଦିଆଯାଉଛି । ଏହାକୁ ଇଣ୍ଟ୍ରା-ନାଜାଲ୍ କୋଭିଡ୍ ଟିକା କୁହାଯାଏ । ଭରତ ବାୟୋଟେକର ବିବୃତ୍ତି ଅନୁଯାୟୀ, ଇନକୋଭାକ୍କୁ ସହଜ ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ ରଖାଯାଇପାରିବ ।