ନୂଆଦିଲ୍ଲୀ, ୨୮/୦୮ : ନେପାଳରେ ଆସିଥିବା ବିନାଶକାରୀ ବନ୍ୟାର ବିଭିନ୍ନ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଏହି ଭିଡିଓରେ ବନ୍ୟା ଜଳରେ ଭାସି ଆସିଥିବା ମୃତଦେହରୁ ଅଳଙ୍କାର ଚୋରି ହେଉଥିବାର ଭାଇରଲ୍ ହେଉଛି । ଭିଡିଓ ଭାଇରଲ ହେବା ପରେ ନେପାଳ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ ଗିରଫ କରିଛି । ନେପାଳ ପୋଲିସ ହେଡକ୍ୱାର୍ଟର ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି ।ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଥିବା ଏହି ଭିଡିଓରେ ଦୁଇଜଣ ଯୁବକ ବନ୍ୟା ପାଣିରେ ଜଣେ ମହିଳାଙ୍କ ମୃତଦେହ ଭାସି ଆସି କୂଳରେ ଲାଗିଛି । ଦୁଇଜଣ ଯୁବକ ମୃତଦେହ ପାଖରେ ଛିଡ଼ା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଉଁଶ ସାହାଯ୍ୟରେ ମୃତଦେହକୁ ଉପରକୁ ଉଠାଉ ଥିବା ବେଳେ ଅନ୍ୟ ଯୁବକ ଜଣକ ମହିଳାଙ୍କ କାନରୁ ଗହଣା କାଢ଼ୁଛନ୍ତି । ଏହି ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି । ଏପରିକି ମୃତଦେହଟିକୁ ପାଣିରୁ ବାହାର କରିବାକୁ ବି କେହି ଉଦ୍ୟମ କରୁ ନାହାନ୍ତି । ଭିଡିଓ ଭାଇରଲ୍ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି । ନେପାଳରେ ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି । ୧୪୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜମାନଙ୍କ ମଧ୍ୟରେ ୩୧ଟି ଦେଶର ୬୬୭ ରୁ ଅଧିକ ପର୍ଯ୍ୟଟକ ଓ ବିଦେଶୀ ନାଗରିକ ଅଛନ୍ତି । ଏଥିରେ ୨୯୦ ଜଣ ଭାରତୀୟ, ୬୫ ଜଣ ଆମେରିକୀୟ ଏବଂ ୩୩ ଜଣ ବ୍ରିଟେନର ନାଗରିକ ସାମିଲ ଅଛନ୍ତି । ପାହାଡ଼ରୁ ପ୍ରଚୁର କାଦୁଅ, ପଥର ଓ ବରଫ ନଦୀରେ ମିଶି ଏହି ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରିଛି । ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀ କୂଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ନିଖୋଜ ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଆମେରିକାର ନାଗରିକ ଅଛନ୍ତି ।