ଭୁବନେଶ୍ୱର, ୨୯/୦୧ : କିଟ ଦିଲୀପ ତିର୍କୀ ହକି ଷ୍ଟାଡିୟମରେ ବୁଧବାର ଜାତୀୟ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନାଲ ହକି ଚାମ୍ପିଅନସିପ୍ (ମହିଳା) ୨୦୨୫-୨୬ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ତତ୍ତ୍ୱାବଧାନରେ KIIT ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ମର୍ଯ୍ୟାଦାଜନକ ଚାମ୍ପିଅନସିପ୍ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଚାମ୍ପିଅନସିପ୍କୁ ଆଜି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ଖେଳାଳିଙ୍କୁ ଉଦ୍ବୋଧନ ଦେଇ କ୍ରୀଡା ବିକାଶ, ମହିଳା ସଶକ୍ତିକରଣ ଓ କ୍ରୀଡାବିତଙ୍କ ପାଇଁ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ନିର୍ମାଣ ଦିଗରେ କିଟର ଭୂମିକା ଉପରେ କହିଥିଲେ। କିଟ ଆରମ୍ଭରୁ ଶିକ୍ଷା ସହ କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରି ଆସୁଛି ବୋଲି ସେ କହିଥିଲେ ।
ଚାମ୍ପିଅନସିପ୍ ରେ ପଟିଆଲାର ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ସର୍ଦ୍ଦାର ବଳଦେବ ସିଂହ; ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପର୍ଯ୍ୟବେକ୍ଷକ ପ୍ରଫେସର ଆକାଂକ୍ଷା ପ୍ରଜାପତି; KIIT ସ୍କୁଲ ଅଫ୍ ଆର୍କିଟେକ୍ଚରର ମହାନିର୍ଦ୍ଦେଶକ ପ୍ରଫେସର ଏସ୍ ଏସ୍ ରାୟ ଓ କିସ କ୍ରୀଡା ମହାନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ଚାମ୍ପିଅନସିପରେ ଦେଶର 4ଟି ଜୋନ୍ର ଶ୍ରେଷ୍ଠ ଚାରୋଟି ଦଳକୁ ମିଶାଇ ମୋଟ ୧୬ଟି ବିଶ୍ୱବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଛନ୍ତି। ଏହା ଦେଶର ସବୁଠାରୁ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟସ୍ତରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଅନ୍ଯତମ । ଏହି ଇଭେଣ୍ଟର ଶ୍ରେଷ୍ଠ ଆଠଟି ଦଳ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସେଥିପାଇଁ ଏହି ଆନ୍ତଃ-ଜୋନାଲ୍ ଚାମ୍ପିଅନସିପ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ମ୍ୟାଚ୍ ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ଓ ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ 2:1 ଗୋଲରେ ମ୍ୟାଚ୍ ଜିତିଥିଲା । ଚତୁର୍ଥ ମ୍ୟାଚ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ମଇସୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ 11:0 ଗୋଲରେ ମ୍ୟାଚ୍ ଜିତିଥିଲା । ପଞ୍ଚମ ମ୍ୟାଚ୍ ରବିନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟ ଓ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ୍ 1:1 ଗୋଲରେ ଡ୍ର ରହିଥିଲା ।