ନୂଆଦିଲ୍ଲୀ,୧/୩ : ଆଜିଠାରୁ ଦେଶ ବ୍ୟାପୀ ୬୦ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୪୫ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିମାନଙ୍କୁ କରୋନା ଟିକାକରଣ କରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦେଶର ୧୦ହଜାର ସରକାରୀ ଡାକ୍ତରଖାନାରେ ଏହି କୋଭିଡ ପ୍ରତିଷେଧକ ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବ। ସେହିପରି ଦେଶରେ ଚିହ୍ନଟ କରାଯାଇଥିବା ୨୦ହଜାର ଘରୋଇ ହସ୍ପିଟାଲରେ ଡୋଜ୍ ପ୍ରତି ୨୫୦ଟଙ୍କା ମୂଲ୍ୟରେ ଟିକାକରଣ କରାଯିବ। ପ୍ରଥମେ ଗତ ମାସ ୧୬ ତାରିଖରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମର ୧କୋଟିରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବାବେଳେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଟିକାକରଣ ପର୍ଯ୍ୟାୟରେ କୋ-ୱିନ୍ରେ ପଞ୍ଜିକରଣ କରିଥିବା ଲୋକମାନଙ୍କୁ ଟିକା ଦିଆଯିବ।
କେନ୍ଦ୍ର ସ୍ୱାସ୍ଥ୍ୟସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସଚିବ ମାନଙ୍କ ସହ ରବିବାର ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ୪୫ରୁ ଅଣଷଠି ବୟସ ପର୍ଯ୍ୟନ୍ତ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ୨୦ଟି ରୋଗ ପାଇଁ ସରଳୀକରଣ ବ୍ୟବସ୍ଥା ମାଧ୍ୟମରେ ସହଜରେ ପଞ୍ଜିକରଣ କରାଯାଇପାରିବ। ସେହି ୨୦ଟି ରୋଗ ମଧ୍ୟରେ ହୃଦରୋଗ ପରବର୍ତ୍ତୀ ଅବସ୍ଥା, କିଡ୍ନୀ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ, ଏଚ୍ଆଇଭି ସଂକ୍ରମଣ ଏବଂ ମଧୁମେହ ଭଳି ରୋଗ ରହିଛି।