ସୁନ୍ଦରଗଡ଼ : ସୁନ୍ଦରଗଡ଼ର ବୋହୂ ହୋଇଛନ୍ତି ଦେଶର ଶ୍ରେଷ୍ଠ ସୁନ୍ଦରୀ। ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସୁନ୍ଦରଗଡ଼ ବୋହୂ କମଲ ନବଦୀପ କୌର ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି । ରାଉରକେଲା ଉପାନ୍ତବର୍ତୀ ଶିଳ୍ପ ସମୃଦ୍ଧ କାଂଶବାହାଲ ଅଞ୍ଚଳର ନବନୀତ ସୁନ୍ଦରୀ ମୁକୁଟ ଜିତି ସ୍ଥାନୀୟ ଅଞ୍ଚଳ ଓ ଜିଲା ପାଇଁ ଗୌରବ ଆଣିଛନ୍ତି । ଗତ ଅକ୍ଟୋବର ମାସରୁ ଅନଲାଇନରେ ସାରା ଦେଶର ବିବାହିତା ମହିଳାମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ପର୍ଯ୍ୟାୟ ପ୍ରତିଯୋଗିତା ପରେ ମୁମ୍ବାଇରେ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ନବଦୀପ କୌର ବିଜୟୀ ହୋଇଛନ୍ତି ।
ଏହି ପ୍ରତିଯୋଗିତାରେ ସାରା ଦେଶରୁ ୬୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଚଳଚ୍ଚିତ୍ର ଅଭିନେତା ବିବେକ ଓବରାୟ, ସୋହା ଅଲ୍ଲୀ ଖାନ୍, ୨୦୨୦ ମିସେସ ୱାର୍ଲଡ଼ ବିଜୟିନୀ କରୋଲାଇନ ଜୁରି, କାର୍ଯ୍ୟକ୍ରମର ନିର୍ଦେଶିକା ମୋହିନୀ ଶର୍ମା, ଡ଼ିଜାଇନର ମୌସୁମୀ ବାୱାୱାଲା ଏହି ପ୍ରତିଯୋଗିତାରେ ବିଚାରକ ରହିଥିଲେ ।
ଏହି ସଫଳତା ପାଇଁ ଆନନ୍ଦରେ ଆତ୍ମହରା ହୋଇଛନ୍ତି ନବଦୀପ । ସେ କହିଛନ୍ତି ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ବିଜୟୀ ହେବା ମୋ ପାଇଁ ଗୌରବ । ଏହି ସଫଳତାର ଶ୍ରେୟ ମୋର ପରିବାର ଓ ସ୍ଥାନୀୟ ବାସିନ୍ଦାମାନଙ୍କର । ଯେଉଁମାନେ ମୋତେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥିଲେ ।