ନବୀନ ନିବାସ ଆଗରେ ହାଇଡ୍ରାମା : ବିଜେପି ବିଧାୟକଙ୍କୁ ନବୀନ ନିବାସ କାଡିନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ /୩ : ବିଧାନସଭାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ସାନିଟାଇଜର୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରଠାରୁ ୬ ଦିନ ହେଲା ବିଧାନସଭା ଅଚଳାବସ୍ଥା ଲାଗି ରହିଛି। ଏହାକୁ ନେଇ ଶାସକ ଦଳ ବିଜେଡି ସମେତ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଜୋର ଧରିଛି। ବିଜେପି ବିଧାୟକ ସୁବାସ କ୍ଷମା ମାଗିବା ଜିଦ୍‌ରେ ବିଜେଡି ଅଡ଼ି ବସିଥିବାବେଳେ ବିଜେପି ଏହାର କଡ଼ା ଜବାବ୍‌ ଦେଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ଆକ୍‌ସନ୍‌ ମୁଡ଼ରେ ରହିଛି। ଆଜି ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକମାନେ ଧାରଣା ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଧାରଣାସ୍ଥଳକୁ ଆସିଥିଲେ ଏବଂ ସେମାନଙ୍କ ସହ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଡାକିନେଇଥିଲେ।

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକମାନଙ୍କ ଆଲୋଚନା ହୋଇଥିଲା। ଏହି ଅବସରରେ ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଚସ୍ପତିଙ୍କ ସହିତ କଥା ହେବା ପରେ ସର୍ବଦଳୀୟ ବୈଠକ ବସିବ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀଦଳଙ୍କ ଧାରଣାସ୍ଥଳକୁ ଆସି ମୁଖ୍ୟମନ୍ତ୍ରୀ ସମସ୍ୟା ସମାଧାନ ପାଇଁ ସେମାନଙ୍କ ନିକଟକୁ ଆସିବା ଏବଂ ଆଲୋଚନା ନିମନ୍ତେ ନିଜ ବାସଭବନ ଭିତରକୁ ଡାକିବା ରାଜ୍ୟ ରାଜନୀତିରେ ପ୍ରଥମ ବୋଲି ଜଣାପଡ଼ିଛି।