ଭୁବନେଶ୍ୱର, ୧୯/୦୪ :ବିଜେଡି ସଭାପତି ଭାବେ ନବମ ଥର ପାଇଁ ସେ ଦଳର ଆଜି ମଙ୍ଗ ଧରିବେ ନବୀନ । ଶଙ୍ଖ ଭବନରେ ଦିନ ୧୧ଟାରେ ଦଳର କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିସହ ସଭାପତି ଭାବେ ନବୀନଙ୍କ ନାଁ ବିଧିବଦ୍ଧ ଘୋଷଣା ହେବ । ବିଜେଡି ରାଜ୍ୟ ପରିଷଦର ସଦସ୍ୟ ସଂଖ୍ୟା ୩୫୫ । ସେଭିତରୁ ୮୦ ଜଣ ଷ୍ଟେଟ ଏକଜିକ୍ୟୁଟିଭ ସଦସ୍ୟ ଭାବେ ନିର୍ବାଚିତ ହେବେ । ଦଳୀୟ ସଭାପତି ଭାବେ ନବୀନ ନିର୍ବାଚିତ ହେବା କେବଳ ଔପଚାରିକତା ହୋଇଥିବା ବେଳେ ଷ୍ଟେଟ କାଉନସିଲ ଓ ଷ୍ଟେଟ ଏକଜିକ୍ୟୁଟିଭ ଉପରେ ଅଧିକ ଫୋକସ ରହିବ । ବିଶେଷକରି ଏଥିରେ କେଉଁମାନେ ସ୍ଥାନ ପାଇବେ କେଉଁମାନେ ବାଦ୍ ପଡ଼ିବେ ତା ଉପରେ ନଜର ରହିଛି । ଏହା ମାଧ୍ୟମରେ ବିଜେଡି ଆଗକୁ ବଢ଼ିବା ଓ ନୂଆ ରୋଡମ୍ୟାପ ପାଇଁ ଯୋଜନାର ବଡ଼ ବାର୍ତ୍ତା ଦେବ । ୧୯୯୭ ମସିହାରେ ବିଜେଡି ପ୍ରତିଷ୍ଠା ବେଳେ ଯେଉଁ ଆହ୍ବାନ ଥିଲା, ଦଳ ସଭାପତି ନବୀନଙ୍କ ପାଇଁ ଏବେ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ଏବେ ବିରୋଧୀ ଦଳରେ । ୨୦୨୪ ନିର୍ବାଚନରେ ବିଜେଡି ପାଇଥିଲା ୪୦.୨୨ ପ୍ରତିଶତ ଭୋଟ । ବିଜେପି ଭୋଟ୍ ହାର ଥିଲା ୪୦.୦୭ ପ୍ରତିଶତ ଭୋଟ୍ । ଭୋଟ ହାର ଦେଖିଲେ ଏବେବି ଲୋକପ୍ରିୟ ଦଳ ବିଜେଡି । ଦଳ ପ୍ରତି ସମର୍ଥନ ବଜାୟ ରଖିବା ସହ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବେ ନବୀନଙ୍କ ପାଇଁ ବଡ ଆହ୍ବାନ ହେବ ।
କଂଗ୍ରେସକୁ ନେଇ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ଭାବେ ତୃଣମୂଳସ୍ତରକୁ ଯିବା ଦରକାର। ତେଣୁ ଏସବୁ ଉପରେ ବିଜେଡି ସୁପ୍ରିମୋ ସ୍ପଷ୍ଟ ବାର୍ତ୍ତା ଦେବାର ଆବଶ୍ୟକତା ରହିଛି। ରାଜନୈତିକ କ୍ୟାରିୟର ଆରମ୍ଭ ଦିନଠାରୁ ଅନେକ ଆହ୍ବାନର ସାମ୍ନା କରି ଆସିଛନ୍ତି ନବୀନ । ଏବେ ପୁଣି ନୂଆ ଆହ୍ବାନ ରହିଛି । ଏଭଳି ସ୍ଥିତିରେ ଦଳୀୟ ନେତା ଓ କର୍ମୀଙ୍କୁ ଆଜି ନବୀନ କି ବାର୍ତ୍ତା ଦେଉଛନ୍ତି ତାକୁ ଅପେକ୍ଷା ।