ଭୁବନେଶ୍ୱର,୦୫/୦୩ : ରାଜ୍ୟ ସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥିପତ୍ର ଦାଖଲ କରିଥିବା ୨ ପ୍ରାର୍ଥୀଙ୍କୁ ମୁଁ ସ୍ବାଗତ କରୁଛି। ଏହି ସମୟରେ ନବୀନଙ୍କୁ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ନବୀନ କହିଛନ୍ତି, ସମୟ କହିବ ଭବିଷ୍ୟତ। ତେବେ ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ଭବିଷ୍ୟତରେ ବିଜେଡି ଏବଂ କଂଗ୍ରେସ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସଂତୃପ୍ତ, ଦତ୍ତେଶ୍ବର ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିଲେ। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ.ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି। ଭାଜପା ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି ଏବଂ ଚତୁର୍ଥ ଆସନରେ ସ୍ବାଧୀନ ଭାବରେ (ଭାଜପା ସମର୍ଥନରେ) ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ତେଣୁ ଚତୁର୍ଥ ଆସନ ପାଇଁ ରୋଚକ ପ୍ରତିଦ୍ୱନ୍ଦ୍ୱିତା ହେବ। ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ।