NCERTରୁ ହଟିଲା ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ବ

0

ନୂଆଦିଲ୍ଲୀ : ଏନ୍‌ସିଇଆର୍‌ଟି ୯ମ ଓ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ବକୁ ହଟାଇଦେଇ ଥିବାରୁ ଏହାକୁ ବିରୋଧ କରି ସାରା ଭାରତର ୧୮୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ ଓ ଶିକ୍ଷାବିତ୍ ସମୂହ ଦସ୍ତଖତ କରି ଏକ ଖୋଲା ଚିଠି ଲେଖିଛନ୍ତି। ବ୍ରେକ୍‌ଥ୍ରୁ ସାଇନ୍ସ ସୋସାଇଟି ଏପ୍ରିଲ ୨୦ ତାରିଖରେ ଏକ ପ୍ରେସ୍ ବିବୃତି ଜାରି କରି ସେଥିରେ ‘ଆନ୍ ଅପିଲ ଏଗେନ୍‌ଷ୍ଟ ଏକ୍ଲୁଜନ୍ ଅଫ୍ ଇଭଲ୍ୟୁସନ ଫ୍ରମ୍ କରିକୁଲମ୍’ ଶୀର୍ଷକ ଚିଠିଟି ସନ୍ନିବେଶିତ କରିଛି। ଏହି ଚିଠିରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପରି ବିଶିଷ୍ଟ ବିଜ୍ଞାନ ପ୍ରତିଷ୍ଠାନ ବୈଜ୍ଞାନିକମାନେ ତଥା ବିଶିଷ୍ଟ ଶିକ୍ଷାବିତ୍‌ମାନେ ସ୍ବାକ୍ଷର କରିଛନ୍ତି।

କୋଭିଡ୍-୧୯ ମହାମାରୀ ପରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ପିଲାଙ୍କ ଉପରୁ ଶିକ୍ଷାବୋଝ କମାଇବା ପାଇଁ ପାଠ୍ୟକ୍ରମରୁ କେତେକ ଅଂଶ ହ୍ରାସ କରିଛି। ଫଳତଃ ସେମାନେ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକର ୯ମ ଅଧ୍ୟାୟ ‘ହେରିଡିଟି ଆଣ୍ଡ୍ ଇଭଲ୍ୟୁସନ’ ସ୍ଥାନରେ ‘ହେରିଡିଟି’ ବିଷୟ ସନ୍ନିବେଶିତ କରିଛନ୍ତି। ସେଥିରୁ ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ବ ପ୍ରସଙ୍ଗଟି ବାଦ୍ ପଡ଼ିଛି। ଏହାକୁ ପ୍ରଥମେ ମହାମାରୀ କାରଣରୁ ପରୀକ୍ଷାରେ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ପରେ ତାକୁ ସ୍ଥାୟୀ ଭାବେ ଉଠାଇ ଦିଆଯାଇଛି।

ଚିଠିରେ କୁହାଯାଇଛି ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏହାକୁ ଉଠାଇଦେ‌ବା ଫଳରେ ପିଲାଙ୍କ ବୈଜ୍ଞାନିକ ଚିନ୍ତନ ବାଧାପ୍ରାପ୍ତ ହେବ। ବିଜ୍ଞାନ ଓ ଇତିହାସ ପୁସ୍ତକରୁ ଗୁରୁତ୍ବପୂର୍ଣ୍ଣ ଅଂଶ ଉଠାଇଦେବା ଠିକ୍ ହେଉ ନାହିଁ ବୋଲି ଚିଠିରେ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.