ରାଜ୍ୟସଭାରେ NDAର ୧୦୧ ଆସନ

ନୂଆଦିଲ୍ଲୀ ,୨୦/୬: ୮ଟି ରାଜ୍ୟର ୧୯ଟି ଆସନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​୮ଟି ଆସନ ଜିତି ବିଜେପି ରାଜ୍ୟସଭାରେ ନିଜର ସ୍ଥିତିକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିଛି। ବିଜେପି ପୂର୍ବରୁ ୩ଟି ଆସନ ଜିତି ସାରିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ ସିଂ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ।

ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନଡିଏର ୯୦ଟି ରହିଥିଲା । ଯାହା ଏବେ ୧୦୧କୁ ବୃଦ୍ଧି ପାଇଛି । ୨୪୫ଟି ଆସନର ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୧୨୩ । ଏହା ପ୍ରଥମ ଥର ପାଇଁ ଏନଡିଏର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଏଥିମଧ୍ୟରୁ କେବଳ ବିଜେପିରେ ୮୬ ଜଣ ସାଂସଦ ଅଛନ୍ତି । କଂଗ୍ରେସ ନେତୃତ୍ବାଧୀନ ୟୁପିଏରେ ବର୍ତ୍ତମାନ ୬୫ଟି ଆସନ ରହିଛି।

ଯଦି ଏନଡିଏର ରାଜ୍ୟସଭାରେ ବିଜେଡି, AIADMK ଏବଂ YSR କଂଗ୍ରେସ ଭଳି ଦଳର ସମର୍ଥନ ରହିଛି, ତେବେ ଏହା ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବ। ଏଥି ସହିତ ଲୋକସଭାରେ ଏନଡିଏର ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି ।