ନୂଆଦିଲ୍ଲୀ,୧୭ /୧୨ : ଆତ୍ମ ନିର୍ଭର ଭାରତ ଯୋଜନାରେ ସେନାକୁ ଆହୁରି ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆଜି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୨୭ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହି ଅସ୍ତ୍ରଶସ୍ତ୍ର ସବୁ ଭାରତରେ ନିର୍ମାଣ ହେବ। ସରକାରଙ୍କ ଦ୍ୱାରା ପୂର୍ବରୁ ଘୋଷିତ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମ ନିର୍ଭର ଭାରତ ଯୋଜନାରେ ଦେଶୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯାଇଛି। ଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ଆବଶ୍ୟକ କରୁଥିବା ବିଭିନ୍ନ ଅସ୍ତ୍ରଶାସ୍ତ୍ର ଓ ଯନ୍ତ୍ରପାତି କ୍ରୟ ପ୍ରସ୍ତାବ ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ୨୦୨୦ ଅଧୀନରେ ଏହା ହେଉଛି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ପ୍ରଥମ ବୈଠକ ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସାତୋଟି ପ୍ରସ୍ତାବ ମଧ୍ୟରୁ ୬ଟି ଅର୍ଥାତ୍ ୨୮ ହଜାର କୋଟିରୁ ୨୭ ହଜାର କୋଟି ଟଙ୍କା ପାଇଁ ଆବଶ୍ୟକତା ଭିତ୍ତିରେ କ୍ରୟ ପାଇଁ ଅନୁମୋଦନ କରାଯାଇଛି। ଆଜି ଅନୁମୋଦିତ ଅଧିଗ୍ରହଣ ପ୍ରସ୍ତାବରେ ଭାରତୀୟ ବାୟୁସେନା ପାଇଁ ଡିଆରଡିଓର ପରିକଳ୍ପିତ ତଥା ବିକଶିତ ପୂର୍ବ ଆଲର୍ଟ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା, ନୌସେନା ପାଇଁ ଅଫଶୋର ପାଟ୍ରୋଲିଂ ଜାହାଜ ଏବଂ ସ୍ଥଳ ସେନା ପାଇଁ ମଡ୍ୟୁଲାର୍ ବ୍ରିଜ୍ ଅନ୍ତର୍ଭୁକ୍ତ।