କରାଚୀ, ୧୯/୧୦ : ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ରବିବାର କରାଚୀରେ ଏକ ବିରାଟ ରାଲି ହୋଇଛି । ଏହି ରାଲିରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ । ଏହି ରାଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରାଯାଇଥିଲା ।
ପ୍ରଦର୍ଶନକାରୀମାନେ କହିଛନ୍ତି, ଇମ୍ରାନ ସରକାର ଲୋକଙ୍କ ଠାରୁ ଚାକିରି ଛଡ଼ାଇ ନେଇଛନ୍ତି । ଦେଶରେ ଲୋକଙ୍କୁ ଠିକରେ ଖାଇବାକୁ ମିଳିପାରୁ ନାହିଁ, ରୋଜଗାର ନାହିଁ କି ଜୀବନ ଜୀବୀକା ପାଇଁ ସରକାର ଚିନ୍ତିତ ନାହିଁ ବୋଲି ଅଭିଯୋଗ ଆସିଛି । ବିରୋଧୀ ଦଳ ନେତ୍ରୀ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ କହିଛନ୍ତି, ପାକିସ୍ତାନରେ ଏବେ ଲୋକମାନଙ୍କୁ ୨ ଥର ଖାଇବାକୁ ମିଳୁ ନାହିଁ । ଆମର ଚାଷୀ ଏବେ ଘରେ ଭୋକିଲା ରହୁଛନ୍ତି । ସେହିଭଳି ଆମର ଯୁବପୀଢ଼ି ମନଦୁଃଖରେ ବସିଛନ୍ତି ବୋଲି ବିଲୱାଲ ଭୁଟୋ ଜରଦାରୀ କହିଛନ୍ତି ।
ବିରୋଧୀ ଦଳର ନେତାମାନେ ରାଲିରେ କହିଛନ୍ତି, କରୋନା ମହାମାରୀ ସଂକଟ ସମୟରେ ପାକିସ୍ତାନର ସ୍ଥିତି ଆହୁରି ଦୟନୀୟ ହୋଇଛି । ଦେଶର ଜିଡିପି କ୍ରମାଗତ ଭାବେ ହ୍ରାସ ପାଇଛି । ଦୁଇ ବର୍ଷ ମଧ୍ୟରେ ଇମ୍ରାନ ସରକାର ବିକାଶ ପାଇଁ ଚିନ୍ତା କରିନାହାନ୍ତି । କରାଚୀ ରାଲିରେ ଫଗୀର ବାଲୋଚ କହିଛନ୍ତି, ଦରବୃଦ୍ଧି ନିୟନ୍ତ୍ରଣକୁ ଆସୁନାହିଁ । ଗରିବ ଲୋକେ ତାଙ୍କର ପିଲାଙ୍କୁ ଖାଇବାକୁ ଦେଇପାରୁ ନାହାନ୍ତି ।