ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ସାରା ଦେଶରେ ନିଟ୍(ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ଅନୁଷ୍ଠିତ ହୋଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ଅଫ୍ଲାଇନ୍ରେ ହେଉଥିବା ଏହି ପରୀକ୍ଷାରେ ୮୫%ରୁ ୯୦% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ମୋଟ ୧୫ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ଦୁଇ ଲକ୍ଷ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ରାଜ୍ୟ ସରକାର ଏବଂ ଏନ୍ଟିଏ ଦ୍ୱାରା ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଛାତ୍ରଛାତ୍ରୀ ସାମାଜିକ ଦୂରତ୍ୱ ରକ୍ଷାକରି ଶୃଙ୍ଖଳିତଭାବେ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ସମସ୍ତ ପ୍ରକାର ସହଯୋଗ ଓ ସୁପରିଚାଳନା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଟୁଇଟ୍ କରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏନଟିଏ ମହାନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି।
ପରୀକ୍ଷାରେ କରୋନା ପଜିଟିଭ୍ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇ ନାହିଁ। ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବା ନେଇ ଘୋଷଣା କରାଯିବ। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରବେଶିକା ପରୀକ୍ଷା ଫଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।