ନୂଆଦିଲ୍ଲୀ, ୦୧/୦୮ : ମାଆ-ଝିଅ ଏକାଠି ଏକାଠି ପାସ୍ କଲେ ନିଟ୍ ପରୀକ୍ଷା । ତାମିଲନାଡୁରୁ ଆସିଥିବା ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି କି ଜଣେ ୪୯ ବର୍ଷୀୟା ମାଆଙ୍କ ସହିତ ତାଙ୍କ ଝିଅ ମଧ୍ୟ ନିଟ୍ ପରୀକ୍ଷାରେ ପାସ୍ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବର୍ତ୍ତମାନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଥିବାବେଳେ, ଝିଅଙ୍କୁ ଏବେ ପର୍ଯ୍ୟନ୍ତ କୌଣସି ମେଡିକାଲ କଲେଜରେ ଆଡମିସନ୍ କରିନାହାନ୍ତି । ୪୯ ବର୍ଷୀୟା ଏହି ମହିଳା ଜଣକ ହେଉଛନ୍ତି ତାମିଲନାଡୁର ଅମୁଥାଭଲ୍ଲୀ ମଣିଭାନ୍ନନ । ତେବେ ତାଙ୍କ ଝିଅ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ଆଉ ଏହାକୁ ଦେଖିବା ପରେ ତାଙ୍କର ମଧ୍ୟ ଏହି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା ।
ଏହାପରେ ଦୁହେଁ ମାଆ-ଝିଅ ମିଶି ନିଟ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଇଥିଲେ, ଆଉ ଏବେ ଦୁହେଁ ଏହି ପରୀକ୍ଷାରେ ପାସ୍ ମଧ୍ୟ କରିଛନ୍ତି । ମୋ ଝିଅ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା ଥିଲା । ମୁଁ ତା ବହିଗୁଡ଼ିକୁ ଧାର ନେଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲି। ତେବେ ଅମୁଥାଭଲ୍ଲୀ ମଣିଭାନ୍ନନଙ୍କ ଝିଅ ଏମ୍ ସଂଯୁକ୍ତା ହେଉଛନ୍ତି ଜଣେ ସିବିଏସଇର ଛାତ୍ରୀ । ସେ ନିଟ୍ ପରୀକ୍ଷା ଦେବାକୁ ଏକ କୋଚିଂ କ୍ଲାସରେ ପ୍ରସ୍ତୁତ ହେଉଥିଲେ । ଆଉ ସେଠାରେ ମିଳୁଥିବା ବହି ତାଙ୍କ ମାଆ ମଧ୍ୟ ବ୍ୟବହାର କରୁଥିଲେ । ଯାହାକି ତାଙ୍କୁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ସାହାଯ୍ୟ କରିଥିଲା । ପ୍ରାୟ ତିନି ଦଶନ୍ଧି ପୂର୍ବେ ତାଙ୍କ ସ୍କୁଲ ପାଠ୍ୟକ୍ରମ ସମାପ୍ତ କରିବା ପରେ MBBS ପାଠ୍ୟକ୍ରମରେ ଯୋଗଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ପାରିନଥିଲେ । ବରଂ ତାଙ୍କୁ ଫିଜିଓଥେରାପି କରିବାକୁ ପଡିଲା । ହେଲେ ଏବେ କିନ୍ତୁ ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଏହାସହ ତାଙ୍କ ଝିଅ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୋ ମାଆଙ୍କ ସହ ସମାନ କଲେଜରେ ପଢ଼ିବାକୁ ଚାହୁଁନାହିଁ । ମୁଁ ସାଧାରଣ କୋଟାରେ ପ୍ରତିଯୋଗିତା କରି ଅନ୍ୟତ୍ର ପଢ଼ିବାକୁ ଚାହୁଁଛି । ତେବେ ତାମିଲନାଡୁର ଏହି ଦୁଇ ମାଆ-ଝିଅ ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ପାସ୍ ହେବା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।