ଅବତରଣର ୧୦ସେକେଣ୍ଡ ପୂର୍ବରୁ ବିମାନ ଦୁର୍ଘଟଣା : ୬୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ୧୫/୧: ଆଜି ସକାଳେ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୬୮ ଜଣ ଯାତ୍ରୀଙ୍କ ସମେତ ମୋଟ ୭୨ଜଣ ଥିଲେ। ଏପର୍ଯ୍ୟନ୍ତ ୬୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ପୋଖରା ବିମାନବନ୍ଦରର ଏଟିସି କର୍ମଚାରୀ କହିଛନ୍ତି।

ପୋଖରା ବିମାନବନ୍ଦରର ଏଟିସି କର୍ମଚାରୀଙ୍କ କହିବାନୁସାରେ, ପୋଖରା ରନୱେ ପୂର୍ବ-ପଶ୍ଚିମ ଦିଗରେ ନିର୍ମିତ ହୋଇଛି। ବିମାନର ପାଇଲଟ୍ ପ୍ରଥମେ ପୂର୍ବ ପାର୍ଶ୍ୱରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ଅନୁମତି ଦିଆଯାଇଥିଲା। କିନ୍ତୁ ଅଳ୍ପ ସମୟ ପରେ ପାଇଲଟ୍ ପଶ୍ଚିମ ଦିଗରୁ ଅବତରଣ କରିବାକୁ ଅନୁମତି ମାଗିଥିଲେ ଏବଂ ପୁନର୍ବାର ତାଙ୍କୁ ଆମେ ଅନୁମତି ଦେଇଥିଲୁ। ହେଲେ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଥିଲା ।

ସବୁଠାରୁ ବଡ଼ କଥା ହେଲା ୧୪ ଦିନ ପୂର୍ବରୁ ନେପାଳର ପୋଖରା ବିମାନବନ୍ଦରର ଉଦଘାଟନ କରାଯାଇଥିଲା। ଚୀନ୍ ସହାୟତାରେ ପୋଖରା ବିମାନବନ୍ଦର ନିର୍ମାଣ କରାଯାଇଛି। ଚୀନର ଏକ୍ସିମ୍ ବ୍ୟାଙ୍କ ଏହାର ନିର୍ମାଣ ପାଇଁ ନେପାଳକୁ ଋଣ ଦେଇଥିଲା। ଏହି ବିମାନବନ୍ଦରକୁ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚାଣ୍ଡ ଜାନୁଆରୀ ୧, ୨୦୨୩ରେ ଉଦଘାଟନ କରିଥିଲେ। ଏହା ବ୍ୟତୀତ ଅନ୍ୟ ଏକ ସୂଚନା ମିଳିଛି ଯେ, ଉଦଘାଟନ ଦିନ ଦୁର୍ଘଟଣାର ଶିକାର ହୋଇଥିବା ସମାନ ବିମାନର ଡେମୋ ଫ୍ଲାଏ କରାଯାଇଥିଲା।