ନେତାଜୀଙ୍କ ଜନ୍ମସ୍ଥାନକୁ ଭୁଲିଗଲେ କେନ୍ଦ୍ର ସରକାର

କଟକ,୧୧ /୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ୧୨୫ ତମ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ୮୫ଜଣିଆ ଏହି କମିଟିରେ ଦେଶର ବହୁ ପୂର୍ବତନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ନେତାଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ରଖାଯାଇଛି। ହେଲେ, ବିଡ଼ମ୍ବନା ବିଷୟ ହେଲା, ଏହି କମିଟିରେ ପଶ୍ଚିମବଙ୍ଗର ୩୦ରୁ ଅଧିକ ସଦସ୍ୟ ଥିବାବେଳେ ଓଡ଼ିଶାରୁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ଙ୍କୁ ରଖାଯାଇଛି। । ତା’ଛଡ଼ା, କମିଟିରେ କେନ୍ଦ୍ର ସରକାରଙ୍କ ୧୦ଜଣ ମନ୍ତ୍ରୀଙ୍କ ଭିତରେ ପଶ୍ଚିମବଙ୍ଗର ୨ଜଣକୁ ରଖାଯାଇଥିବା ବେଳେ ଓଡ଼ିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଭିତରୁ କାହାରିକୁ ରଖାଯାଇ ନାହିଁ।

       

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ କରାଯାଇଥିବା ଗେଜେଟ୍‌ ନୋଟିଫିକେସନ୍‌ରେ ନେତାଜୀଙ୍କ ଜନ୍ମ ଉତ୍ସବ କଲିକତା ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ସହରମାନଙ୍କରେ ପାଳନ କରାଯିବ ବୋଲି ଦର୍ଶାଯାଇଛି। ଏଥିରେ ସ୍ବତନ୍ତ୍ର ଭାବେ କଟକ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ୧୮୯୭ ମସିହାରେ କଟକର ଓଡ଼ିଆ ବଜାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଜନ୍ମ । ବାପା ଜାନକୀନାଥ ବୋଷ୍‌ କଟକରେ ଜଣେ ବଡ ଓକିଲ । ଓଡ଼ିଆ ବଜାରର ଜାନକୀନାଥ ଭବନ ଏବେ ବି ତାଙ୍କ ପରିବାରର ଅନେକ ସ୍ମୃତିକୁ ବଖାଣୁଛି। ନେତାଜୀଙ୍କ ଶୈଶବଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ଓ ହାଇସ୍କୁଲ ଶିକ୍ଷା କଟକରେ ହୋଇଥିଲା। ‌ଏବେ ବି କଟକର ରେଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ ଓ ଷ୍ଟିୱାର୍ଟ ସ୍କୁଲ ନେତାଜୀଙ୍କ ସ୍ମୃତି ବହନ କରୁଛି। ରାଜ୍ୟ ସରକାର ମଧ୍ୟ ୨୦୦୮ ମସିହାରୁ ନେତାଜୀଙ୍କ ଜନ୍ମସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ଏହାର ବିକାଶ ତଥା ପ୍ରଚାର-ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀ ଉତ୍ସବକୁ କଟକରେ ଜାତୀୟ ଉତ୍ସବ ଭାବେ ପାଳନ କରାଯାଇ ଆସୁଅଛି। ହେଲେ, ୧୨୫ତମ ଜୟନ୍ତୀ ବର୍ଷ ପାଳନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମ ସ୍ଥାନ କଟକକୁ ଗୁରୁତ୍ବ ଦେଇନାହାନ୍ତି ।