ନୂଆଦିଲ୍ଲୀ,୨୬ /୪ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩,୫୪,୫୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୩୦୬,୩୦୦କୁ ବୃଦ୍ଧିପାଇଛି। ଏଥିସହିତ ଦିନକରେ ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୮୦୬ ଜଣ ପ୍ରାଣ ହରାଇଛନ୍ତି। ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧,୯୫,୧୧୬କୁ ବୃଦ୍ଧିପାଇଛି। ସଂପ୍ରତି ଦେଶରେ ମୋଟ ୨.୮ ନିୟୁତ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋଭିଡ ଟିକା ନେବା ସହିତ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, କୋଭିଡ ସଂକ୍ରମଣର ଝଡ ଭାରତକୁ ଦୋହଲାଇ ଦେଇଛି। କାରଣ ସମଗ୍ର ବିଶ୍ୱରେ ଭାରତରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଗୁରୁତର ହୋଇପଡୁଥିବା ରୋଗୀଙ୍କର ଚିକିତ୍ସା ପାଇଁ ଦେଶରେ ଅମ୍ଳଜାନ ଏବଂ ଡାକ୍ତରଖାନାରେ ଶଯ୍ୟାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହି ସମସ୍ୟା ଦୂର କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଆପ୍ରାଣ ଉଦ୍ୟମ କରାଯାଉଛି ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୭,୭୮୦,୬୯୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨୫,୭୩୦,୧୨୩ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୩,୧୨୨,୪୨୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ତାହା ପଛକୁ ଭାରତ, ବ୍ରାଜିଲ, ଫ୍ରାନ୍ସ ଏବଂ ରୁଷିଆ ଆଦି ରାଷ୍ଟ୍ର ରହିଛନ୍ତି।