ଶପଥ ନେଲେ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟର ୨୪ ନୂଆ ମନ୍ତ୍ରୀ

ଗାନ୍ଧିନଗର,୧୬/୯ : ଗୁଜୁରାଟରେ ଭୂପେନ୍ଦ୍ର ପଟେଲ ସରକାରର ନୂଆ କ୍ୟାବିନେଟ୍‌ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗାନ୍ଧୀନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ତେବେ ସବୁଠାରୁ ବଡ କଥା ହେଉଛି ବିଜୟ ରୂପାଣୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କୁ ଏଥିରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି । ନୂଆ ମନ୍ତ୍ରୀମଣ୍ଡଳରେ ପୁରୁଣା ମୁହଁଙ୍କୁ ସ୍ଥାନ ଦିଆଯାଇ ନାହିଁ । ଏପରିକି ଉପ-ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍‌ ଦିଆଯାଇଛି ।

ଭୁପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସମସ୍ତ ସମୁଦାୟଙ୍କୁ ଗୁରୁତ୍ବ ଦିଆଯାଇଛି । ୨୪ ଜଣ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଯେଉଁଥିରେ ୯ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବେଳେ ୧୫ ଜଣ ରାଜ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜୁରାଟ ବିଧାନସଭାର ବାଚସ୍ପତି ରଜେନ୍ଦ୍ର ତ୍ରିବେଦୀ ମଧ୍ୟ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଛି ।

ସିଏମ୍‌ ଭୂପେନ୍ଦ୍ରଙ୍କ ନୂଆ ଟିମରେ ସାମିଲ ହୋଇଥିବା ମନ୍ତ୍ରୀ ହେଉଛନ୍ତି, ପାରଣୀ ବିଧାୟକ କନୁଭାଇ ଦେଶାଇ, ଗଣଦେବୀ ବିଧାନସଭା କ୍ଷେତ୍ରରୁ ବିଧାୟକ ନରେଶ ପଟେଲ, ଲିମ୍ବଡି ବିଧାୟକ କିରୀଟ୍‌ ସିଂହ ରାଣା, ମୋରବୀ ବିଧାୟକ ବ୍ରଜେଶ୍‌ ମେରଜା, ଜାମନଗର ଗ୍ରାମୀଣ ବିଧାୟକ ରାଘବଜୀ ପଟେଲ, ହୃଷିକେଶ ପଟେଲ ଏବଂ ଅରବିନ୍ଦ ରୈୟାଣୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେହିଭଳି ମହିଳାଙ୍କ ମଧ୍ୟରେ ମନୀଷା ଓ୍ବକୀଲ, କୀର୍ତ୍ତି ବାଘେଲା ଏବଂ ନିମିଷା ବେନ୍‌ଙ୍କୁ ମନ୍ତ୍ରୀପଦ ମିଳିଛି ।

ମୁଖ୍ୟମନ୍‌ତରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏମ୍‌ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୪.୩୦ରେ ମନ୍ତ୍ରୀ ପରିଷଦର ପ୍ରଥମ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । ଶୁଣିବାକୁ ମିଳୁଛି ଯେ, ମନ୍ତ୍ରୀ ପରିଷଦ ବୈଠକ ପରେ ବିଭାଗ ବଣ୍ଟନ ହେବ ।