ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ : ୧୦୦୦ କୋଟିର ପ୍ରକଳ୍ପ କଲେ ଶିଳାନ୍ୟାସ

ନୂଆଦିଲ୍ଲୀ, ୨୮/୪ : ଆସାମ ଗସ୍ତ କରି ରାଜ୍ୟର ସପ୍ତମ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଦୀଫୁରେ ଆୟୋଜିତ ଏକ ରାଲିରେ ଆସାମବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମ ମୋଦୀ କହିଛନ୍ତି, ଯେଉଁଠି ଡବଲ ଇଞ୍ଜିନର ସରକାର ରହିଛି, ସେଠାରେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ଭାବନା ସହ କାମ ହେଉଛି । ଆସାମରେ ସ୍ଥାୟୀ ଶାନ୍ତି ଏବଂ ଦ୍ରୁତ ବିକାଶ ପାଇଁ ଯେଉଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା, ତାହା ପୂରଣ କରିବା ଦିଗରେ କାମ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ହିଂସା ମାମଲାରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଘଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେବେବି ଏଠାକୁ ଆସିବାର ସୁଯୋଗ ପାଇଛି, ଆପଣମାନେ ଭରପୁର ସ୍ନେହ, ଶ୍ରଦ୍ଧା ଦେଇଛନ୍ତି । ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, ମହାନ ବରପୁତ୍ର ଲଚିତ୍ ବୋରଫୁକାନଙ୍କ ୪୦୦ତମ ଜନ୍ମ ଜୟନ୍ତୀ ପାଳନ କରିବା ଆମର ସୌଭାଗ୍ୟ । ତାଙ୍କର ଜୀବନ ରାଷ୍ଟ୍ରଭକ୍ତି ଏବଂ ରାଷ୍ଟ୍ରଶକ୍ତି ପାଇଁ ପ୍ରେରଣା’।

ପ୍ରଧାନମନ୍ତ୍ରୀ ଆସାମ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ପ୍ରସ୍ତୁତିକୁ ପରଖିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଦୁଇଥର ଦିବ୍ରୁଗଡ ଏବଂ ରାର୍ବି ଆଙ୍ଗଲୋଙ୍ଗ ଗସ୍ତ କରିଥିଲେ। ଦୁଇ ଜିଲ୍ଲାରେ ସ୍କୁଲ, କଲେଜ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲା।