ଆଜିଠାରୁ ସୁନା ଗହଣା ପାଇଁ ଲାଗୁ ହେବ ନୂଆ ନିୟମ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧/୧୨ : ଅନେକ କ୍ଷେତ୍ରରେ ବ୍ୟବସାୟୀ ଗ୍ରାହକଙ୍କୁ ଅସଲି ସୁନା ବଦଳରେ ଅଶୁଦ୍ଧ ସୁନା ଦେଇଦେଇଥାନ୍ତି ଏବଂ ପୁରା ଟଙ୍କା ନେଇଯାଇଥାନ୍ତି। ତେବେ ଗତ କିଛି ବର୍ଷ ହେଲା ଗହଣାର ଶୁଦ୍ଧତା ପାଇଁ ହଲମାର୍କ ବ୍ୟବହାର କରାଯାଉଛି। ଏବେ ସରକାର ଏହାକୁ ଅନିବାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେପରି ସାଧାରଣ ଜନତାଙ୍କୁ ଏହାର ଫାଇଦା ମିଳିବ। ଆଜିଠାରୁ ସୁନା ଗହଣା ସମ୍ବନ୍ଧୀୟ ଏକ ନୂଆ ନିୟମ ଲାଗୁ ହେବ। ଗହଣା ବ୍ୟବସାୟୀ ଏହି ନିୟମ ପାଳନ ନ କଲେ ଜେଲ ହୋଇପାରେ।

ସୁନା ବ୍ୟବସାୟୀଙ୍କୁ ନଭେମ୍ବର ୩୦ ଯାଏଁ ଆଶ୍ବସ୍ତି ଦିଆଯାଇଥିଲା। ଆଜିଠାରୁ ହଲମାର୍କ ନିୟମ କଡାକଡି ଭାବେ ପାଳନ କରିବାକୁ ହେବ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ୨୫୬ ଜିଲ୍ଲା ହଲମାର୍କ ଅନିବାର୍ଯ୍ୟ କରାଯାଇଛି। ଯେଉଁ ଗହଣା ବ୍ୟବସାୟୀଙ୍କ ଟର୍ଣ୍ଣଓଭର ୪୦ ଲକ୍ଷରୁ ଅଧିକ କିମ୍ବା ପଞ୍ଜିକୃତ ସେମାନଙ୍କ ଦୋକାନର ପ୍ରତ୍ୟେକ ଗହଣାରେ ହଲମାର୍କ ଥିବା ଆବଶ୍ୟକ।

ଏହାସହ ବିକ୍ରି ହେଉଥିବା ସମସ୍ତ ଗହଣାରେ ହଲମାର୍କ ଅନିବାର୍ଯ୍ୟ। ଗହଣା ବ୍ୟବସାୟୀଙ୍କ ପାଇଁ କିଛି ଗାଇଡଲାଇନ ମଧ୍ୟ ତିଆରି କରାଯାଇଛି। ସବୁଠାରୁ ଜରୁରୀ ହେଲା ଦୋକାନ ବାହାରେ ଏକ ଡିସପ୍ଲେ ବୋର୍ଡ ରହିବା ଦରକାର ଯେଉଁଥିରେ ଲେଖାଯାଇଥିବ ଯେ ଏହି ଦୋକାନରେ ହଲମାର୍କ ଗହଣା ମିଳେ। ଏହା ବ୍ୟତୀତ ଗ୍ରାହକଙ୍କୁ ହଲମାର୍କ ଦେଖାଇବା ପାଇଁ 10x ଗ୍ଲାସ ଏବଂ ହଲମାର୍କିଂ ଚାର୍ଜ ବିଷୟରେ ଲିଖିତ ଭାବରେ ଦୋକାନରେ ସୂଚନା ଦେବା ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ଏହା ବ୍ୟତୀତ ପ୍ରତ୍ୟେକ ଦୋକାନ ଭିତରେ BIS ନମ୍ବର ଏବଂ ଠିକଣା ଡିସପ୍ଲେ କରିବା ଜରୁରୀ।