ମହାକାଳପଡ଼ା ଉପଡାକଘର ଗୃହ ନିର୍ମାଣରେ ବାଧକ ସାଜିଛି ଜମି ଚି଼ହ୍ନଟ ପ୍ରକ୍ରିୟା

ମହାକାଳପଡ଼ା,୧୦/୯- (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକଘର ଅଧିନସ୍ଥ ମହାକାଳପଡ଼ା ଉପଡାକଘର କାର୍ଯ୍ୟାଳୟ ଖୋଲିବା ଦିନରୁ ବିଭାଗୀୟ ଅବହେଳାରୁ ଦୀର୍ଘ ଦିନ ହେବ ଭଡା ରେ ଚାଲୁଛି । ମହାକାଳପଡ଼ା ଉପଡାକଘର କାର୍ଯ୍ୟାଳୟ ର ନିଜସ୍ୱ ଗୃହ ପାଇଁ ବିଭାଗୀୟ ଅଧିକାରୀ ମାନେ ୧୯୯୩ ମସିହାରେ ଚେଇଁ ଉଠିଥିଲେ. ଯାହା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆବେଦନ କ୍ରମେ ଆବଶ୍ୟକୀୟ ଜମି ପାଇଁ ତହସିଲଦାର ମାର୍ଶାଘାଇ ଡିମାଣ୍ଡ ନୋଟିସ ନଂ ୫୬୪ /ଡଟା୦୯ .୦୯.୧୯୯୨ ଯୋଗେ ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ କର୍ତ୍ତୃପକ୍ଷ ୨୮୩୪୨ /- ଟଙ୍କା ଜମାକରି ରସିଦ ନଂ ୨୦/ତା. ୨୬ .୦୨ .୧୯୯୩ ହାସଲ କରିଥିଲେ । ନିୟମାନୁଯାୟୀ ରାଜସ୍ବ ବିଭାଗ ମହାକାଳପଡ଼ା ମୌଜାରେ, ମହାକାଳପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପାଖ ପ୍ଲଟ – ୫୭୮ , ଖାତା – ୩୬୮ ରୁ ନିର୍ଦ୍ଧାରିତ ଜମି ଚି଼ହ୍ନଟ କରାଇଥିଲେ. ମାତ୍ର ବିଭାଗୀୟ ଉଦାସୀନତାରୁ ଉପଡାକଘର ଗୃହ ନିର୍ମାଣ କାର୍ଯ୍ୟ ମନ୍ଥରିତ ହୋଇଯାଇଥିଲା ।

କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ବିଭାଗୀୟ କର୍ତ୍ତୃପକ୍ଷ ଉପଡାକଘର ଗୃହ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରି ନିର୍ଦ୍ଧାରିତ ଜମି ପରିଦର୍ଶନ କରିଥିଲେ. ସରକାରୀ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାଜସ୍ବ ବିଭାଗୀୟ ଚିହ୍ନଟର ଆବଶ୍ୟକତା ନେଇ ବର୍ତ୍ତମାନର ତହସିଲଦାର, ମହାକାଳପଡ଼ାଙ୍କୁ ସାକ୍ଷାତ କରିଥିଲେ । ଆବେଦନ ସମୟରେ ଚିହ୍ନିତ ଜମି ମାର୍ଶାଘାଇ ତହସିଲ ଅଧୀନରେ ଥିଲାବେଳେ ବର୍ତ୍ତମାନ ମହାକାଳପଡ଼ା ତହସିଲ ଅଧୀନରେ ରହିଛି. ତହସିଲ ବିଭାଜନ ସମୟରେ ଅଵ୍ୟଵସ୍ଥିତ ରେକର୍ଡ ପତ୍ର ସ୍ଥାନାନ୍ତରୀକରଣ ଯୋଗୁ ତତ୍କାଳୀନ ନଥି ପତ୍ର ମହାକାଳପଡ଼ା ତହସିଲ ରେକର୍ଡ ରୁମରେ ହସ୍ତଗତ ହୋଇପାରୁନାହିଁ । ଏନେଇ ବିଭାଗୀୟ କର୍ମଚାରୀ ଉପଡାକଘର ଜମି ପାଇଁ ସର୍ବ ସାଧାରଣଙ୍କ ଜରିଆରେ ଆବେଦନ କରିଛନ୍ତି । ତଦନୁଯାୟୀ ମହାକାଳପଡ଼ା ପଂଚାୟତର ସଚେତନ ନାଗରିକମାନେ ପୂର୍ବ ସ୍ଥିରୀକୃତ ସରକାରୀ ଜମି ଚି଼ହ୍ନଟ କରାଇବା ପାଇଁ ଲିଖିତ ଦରଖାସ୍ତ କରିଛନ୍ତି. ସର୍ବସାଧାରଣଙ୍କ ଆବେଦନ କ୍ରମେ ମହାକାଳପଡ଼ା ତହସିଲଦାର ତ୍ୱରିତ ବେଗରେ ଜମି ଚି଼ହ୍ନଟ କରାଇ ଉପଡାକଘର ଗୃହ ନିର୍ମାଣ ରେ ସହାୟକ ହେବାକୁ ଦାବୀକରନ୍ତି ।