ଅନୁଗୋଳରେ ଜାତୀୟ ରାଜପଥ -୫୩ ସମ୍ପ୍ରସାରଣ ଲାଗି ୧୭୪ କୋଟି ମଞ୍ଜୁର

ଭୁବନେଶ୍ୱର,୧୬/୧ : ଅନୁଗୋଳ ଜିଲା ଅଧୀନ ଜାତୀୟ ରାଜପଥ(ଏନଏଚ)-୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇଲେନ୍ ବିଶିଷ୍ଟ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ସଂକ୍ରାନ୍ତରେ ରବିବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀ ଗଡକରୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି। ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ କରାଯିବ। ଏହି ଜାତୀୟ ରାଜପଥ ପାରାଦ୍ବୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କରିଡରକୁ ସଂଯୋଗ କରୁଛି। ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଯାତାୟାତ ସୁବିଧାଜନକ ହୋଇପାରିବ। ଭାରିଯାନ ଯାତାୟାତ ସହଜ ହେବ ଏବଂ ଶିଳ୍ପ କରିଡର ତଥା କୋଲ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏନଏଚ-୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଯାତାୟାତକୁ ସୁଗମ କରିବ। ଶିଳ୍ପ କ୍ଷେତ୍ରର ବିକାଶ ହେବା ସହିତ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଆସିବ।

SBI AD