କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୬/୯: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ମଙ୍ଗଳବାର ରାତିରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। କରୋନା ଭାଇରସ୍‌ରେ କେବଳ ସାଧାରଣ ଜନତା ଆକ୍ରାନ୍ତ ହେଉ ନାହାନ୍ତି ବରଂ କରୋନା ରାଜନେତାଙ୍କୁ ମଧ୍ୟ ଶିକାର କରୁଛି। ଏହି କ୍ରମରେ କେନ୍ଦ୍ର ସଡକ ପରିବନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମୌସୁମି ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୩୦ ସାଂସଦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କେନ୍ଦ୍ର ମନ୍ତ୍ରୀ ନିଜକୁ ଅଲଗା କରିବା ସହ ଯେଉଁ ଲୋକ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ନିଜର ପରୀକ୍ଷା କରାଇ ଯତ୍ନ ନେବାକୁ କହିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ସୋମବାର ଦୁର୍ବଳ ଅନୁଭବ ହେବାରୁ ଗଡକରୀ ସ୍ଵାସ୍ଥ୍ୟକୁ ନେଇ ଡାକ୍ତରଙ୍କ ସହ କଥା ହୋଇଥିଲେ। ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗୁଡଗାଓଁର ମେଦାନ୍ତା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏହା ପରେ ପୁଣି ଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସେ ପୁନର୍ବାର ପୁରା ଚେକ୍ ଅପ କରାଇବା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ।