ନବୀନଙ୍କୁ ନୀତୀଶଙ୍କ ପ୍ରଶଂସା, କହିଲେ ସେ ଜଣେ ଭିନ୍ନ ରାଜନେତା

ଭୁବନେଶ୍ୱର,୨୧/୮: ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶଂସା କରିଛନ୍ତି । ନୀତୀଶ ଲେଖିଛନ୍ତି, ଜଣେ ରାଜନେତା ହିସାବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ଦୀର୍ଘ ଦିନ କ୍ଷମତାରେ ଥିଲେ ମଧ୍ୟ ତାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।

ଅହୁରୀ ମଧ୍ୟ ସେ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସହିତ ମୋର ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ । ସେ ଜଣେ ଭିନ୍ନ ରାଜନେତା । ଗରିବଙ୍କ ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି, ନ୍ୟାୟ ସହିତ ବିକାଶ ପାଇଁ ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଛି । ଯେତେବେଳେ ସେ ରାଜନୀତିରେ ପ୍ରବେଶ କଲେ, ସେତେବେଳେ ସେ “ବିଜୁବାବୁ” ଙ୍କ ପରିଚୟ ନେଇ ଆସିଥିଲେ। ହେଲେ ଗତ ୨୪ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଲୋକମାନେ ସାଧାରଣତଃ କ୍ଷମତାକୁ ଆସିଲେ ସମୟ ସହିତ ପରିବର୍ତ୍ତନ ହୁଅନ୍ତି । କିନ୍ତୁ ସେ ପୂର୍ବ ଭଳି ରହିଛନ୍ତି। ତାଙ୍କର ରାଜ୍ୟ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ରହିଛି। ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ ବୋଲି ରାଜନୈତିକ ବିଶେଷଜ୍ଞ ତଥା ଲୋକେ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି। ମୁଁ ଭାବୁଛି ତା’ର ଉତ୍ତର ସେ ନିଜ ଏକ ସାକ୍ଷାତକାରରେ ଦେଇସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ, “ମୁଁ ନିର୍ବାଚନ ପାଇଁ ନୁହେଁ ଲୋକମାନଙ୍କ ପାଇଁ କାମ କରେ।” ସେ ଓଡ଼ିଶାର ଲୋକଙ୍କୁ ଏହା ଜଣାଇବାରେ ସଫଳ ହୋଇଛନ୍ତି ଯେ ସେମାନେ ତାଙ୍କ ପରିବାର, ଯାହା ପାଇଁ ସେ ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ସେ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକ କଥା କମ କୁହନ୍ତି କାମ ଅଧିକ କରନ୍ତି । ପଞ୍ଚମ ପାଳି ନିର୍ବାଚନ ଲଢ଼ୁଥିବା ବେଳେ ସେ କେବଳ ଗୋଟିଏ ଧାଡ଼ି କୁହନ୍ତି ( ଆପଣମାନେ ଖୁସି ତ ? ) କହି ନିର୍ବାଚନ ଜିତିନେଇଥିଲେ । ଯେତେବେଳେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଓଡ଼ିଶା କଠିନ ସମୟ ଦେଇ ଗତି କରୁଥିଲା । ବିଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁ ସେ ଖୁବ ଭଲ ଭାବରେ ସମ୍ଭାଳି ନେଇଛନ୍ତି । ତାଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପ୍ରଶଂସା ଲାଭ କରିଛି | ତାଙ୍କ ଶାସନରେ କ୍ରୀଡା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି । ଇତିହାସ ତାଙ୍କୁ ଜଣେ ଭଲ ବ୍ୟକ୍ତି, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଆଦର୍ଶ ଓ ପ୍ରତିବଦ୍ଧତା ଥିବା ସମାଜସେବୀ ଭାବରେ ଓଡ଼ିଶାବାସୀ ତାଙ୍କୁ ମନେ ରଖିବେ ।