ନୂଆଦିଲ୍ଲୀ, ୦୫/୦୩ : ବିହାର ରାଜନୀତିରେ ହୋଇପାରେ ବଡ଼ ଓଲଟପାଲଟ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯାଇପାରନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଚର୍ଚ୍ଚା ଜୋର ଧରିଛି। ଏହା ସହ ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି ନୀତୀଶଙ୍କ ପୁଅ ନିଶାନ୍ତ କୁମାର। ସେ ବିହାରର ଉପ-ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ବଡ଼ ଆସନରେ ଦାୟିତ୍ବ ସମ୍ଭାଳିବା ଜଣାପଡ଼ିଛି। କାଲି ନାମାଙ୍କନ ଦାଖଲ କରିବାର ଶେଷ ଦିନ ଥିବାରୁ, ନୀତୀଶ କୁମାର ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଜେଡିୟୁ ଏବଂ NDA ମେଣ୍ଟ ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୀତୀଶ ଦିଲ୍ଲୀ ଗଲେ ବିଜେପି ପକ୍ଷରୁ କେହି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିପାରନ୍ତି। କାରଣ ୨୦୨୫ ନିର୍ବାଚନରେ ବିଜେପି ଏକ ବଡ଼ ଦଳ ଭାବେ ଉଭା ହୋଇଛି। ବିହାରର ୫ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ବିଜେପି ପକ୍ଷରୁ ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମ ଘୋଷଣା ସରିଥିବା ବେଳେ ଜେଡିୟୁରୁ ରାମନାଥ ଠାକୁର ଏବଂ ନୀତିଶ କୁମାରଙ୍କ ନାମକୁ ନେଇ ସସପେନ୍ସ ଜାରି ରହିଛି। ନିକଟରେ ୭୫ ବର୍ଷରେ ପଦାର୍ପଣ କରିଥିବା ନୀତୀଶ କୁମାର ରାଜ୍ୟ ରାଜନୀତିରୁ ସମ୍ମାନର ସହ ବିଦାୟ ନେଇ ଜାତୀୟ ରାଜନୀତିରେ ଭୂମିକା ଗ୍ରହଣ କରିବାକୁ ଚାହୁଁଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ।