ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ ନିଷ୍ପତ୍ତି, ୧୬ ବିଦ୍ରୋହୀଙ୍କୁ ଦଳରୁ କଲେ ବିଦା

ନୂଆଦିଲ୍ଲୀ, ୨୭/୧୦ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁର ଜଣେ ବିଧାୟକ ଓ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୬ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ ମଧ୍ୟରୁ ଅଧିକାଂଶ ଦଳୀୟ ନିର୍ଦ୍ଦେଶକୁ ଅବଜ୍ଞା କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀମାନଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତେଣୁ ଶନିବାର ରାତି ଓ ରବିବାର ଦୁଇଟି ପର୍ଯ୍ୟାୟରେ ବିଦ୍ରୋହୀ ନେତାଙ୍କ ନାମ ତାଲିକା ପ୍ରକାଶ କରି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ଓ ଆଦର୍ଶର ଉଲ୍ଲଂଘନ ଅଭିଯୋଗରେ ବିଦ୍ରୋହୀଙ୍କ ଉପରେ ଜେଡିୟୁ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦା ହୋଇଥିବା ନେତାଙ୍କ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ନରେନ୍ଦ୍ର ନିରଜ ଓରଫ ଗୋପାଳ ମଣ୍ଡଳ। ଭାଗଲପୁର ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ନରେନ୍ଦ୍ର ଅନେକ ସମୟରେ ଭୁଲ୍‌ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନରେନ୍ଦ୍ର ତାଙ୍କୁ ଦଳ ପକ୍ଷରୁ ୫ମ ଥର ପ୍ରାର୍ଥୀ କରାଯାଉ ନାହିଁ ବୋଲି ଜାଣିବା ପରେ ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ।

ଏହି ଆସନରେ ଜେଡିୟୁ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରୁ ଆସିଥିବା ବୁଲୋ ମଣ୍ଡଳଙ୍କୁ ଟିକେଟ ଦେବା ପରେ ନରେନ୍ଦ୍ର ତାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୂର୍ବତନ ଏମ୍‌ଏଲ୍‌ସି ସଞ୍ଜୀବ ଶ୍ୟାମ ସିଂଙ୍କୁ ମଧ୍ୟ ଜେଡିୟୁ ବିଦା କରିଛି। ସଞ୍ଜୀବ ଗୟା ଜିଲା ଗୁରୁଆ ଆସନରୁ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ହିମରାଜ ସିଂ କଟିହାର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ପୂର୍ବତନ ବିଧାୟକ ମହେଶ୍ୱର ପ୍ରସାଦ ଯାଦବ(ଗୈହାଟ) ଓ ତାଙ୍କ ସମର୍ଥକ ପ୍ରଭାତ କିରନ ମଧ୍ୟ ଏଥର ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେମାନେ ବିଦ୍ରୋହୀ ସାଜିଲେ। ଏହା ପୂର୍ବରୁ ଜେଡିୟୁ ପୂର୍ବତନ ମନ୍ତ୍ରୀ ଶୈଳେଶ କୁମାର(ଜମାଲପୁର), ପୂର୍ବତନ ବିଧାୟକ ଶ୍ୟାମ ବାହାଦୁର ସିଂ, ପୂର୍ବତନ ଏମ୍‌ଏଲ୍‌ସି ସଞ୍ଜୟ ପ୍ରସାଦ ଓ ରଣବିଜୟ ସିଂଙ୍କ ବିରୋଧରେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆର୍‌ଜେଡି ନେତା ତେଜସ୍ବୀ ମୁସଲିମ୍‌ ବହୁଳ ଜିଲା କଟିହାରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ଜିତିଲେ ଗତ ଏପ୍ରିଲରେ ପାର୍ଲାମେଣ୍ଟରେ ପାରିତ ଓ୍ବକ୍‌ଫ ଆଇନକୁ ଡଷ୍ଟବିନ୍‌କୁ ଫୋପାଡ଼ି ଦିଆଯିବ। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେବେହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ସାମ୍ପ୍ରଦାୟିକ ଶକ୍ତି ସହ ସାଲିସ କରି ନ ଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏବଂ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ବିହାର ସମେତ ସାରା ଦେଶରେ ଘୃଣା ବିସ୍ତାର କରୁଛନ୍ତି। ଭାଜପା ଏକ ‘ଭାରତ ଜାଳ ପାର୍ଟି’। ଏହି ଦଳ କ୍ଷମତାକୁ ଆସିଲେ ସାମ୍ପ୍ରଦାୟିକ ଏଜେଣ୍ଡାଗୁଡ଼ିକ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଇବ ବୋଲି ସେ ସମାଲୋଚନା କରିଛନ୍ତି।

SBI_Festive_Digital Billboard