ପୁଣେ, ୨୫/୧୧ : ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେ ସ୍ଥିତ ରୁବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ରୁବୀ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅବଧୁତ ବୋଡୁମଓ୍ବାଡ୍ କହିଛନ୍ତି, ‘ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଆନ୍ନା ହଜାରେଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ଆନ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।’
ମହାରାଷ୍ଟ୍ରରେ ରହୁଥିବା ୮୪ ବର୍ଷିୟ ଆନ୍ନା ହଜାରେ ଦେଶର ଅନେକ ବଡ ଆନ୍ଦୋଳନର ନେତୃତ୍ବ ନେଇସାରିଛନ୍ତି । ସେ ସୂଚନା ଅଧିକାର ପାଇଁ ମଧ୍ୟ କାମ କରିଛନ୍ତି । ଜନ ଲୋକପାଳ ବିଲ ଆଣିବା ପାଇଁ ୨୦୧୧ ମସିହାରେ ତାଙ୍କର ଆମରଣ ଅନଶନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେଶର କୋଟି କୋଟି ଲୋକ ତାଙ୍କୁ ସମର୍ଥନ କରିଥିଲେ । ଭାରତ ସରକାର ଆନ୍ନା ହଜାରେଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି । ଏହା ବ୍ୟତୀତ ସେ ନିଜ କାର୍ଯ୍ୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି ।