ଯଦି ଜଣେ ଯୁବକଙ୍କୁ ନିଜ ବାହାଘରରେ ଦାଢ଼ି ରଖିବା ପସନ୍ଦ, ତେବେ ସେ ଏହି ଖବର ନିଶ୍ଚିତ ପଢ଼ନ୍ତୁ । କାରଣ ବାହାଘରରେ ପୁଅର ଦାଢ଼ିକୁ ନେଇ ନୂଆ ନିୟମ ଜାରି ହୋଇଛି । ଯଦି ଆପଣ ଏହି ଆଦେଶକୁ ଅବମାନନା କରନ୍ତି, ତେବେ ଆପଣଙ୍କ ବାହାଘର ହୋଇନପାରେ । ଏହି ଅଜବ ପରମ୍ପରା ରାଜସ୍ଥାନର ପାଲି ଜିଲ୍ଲାରେ ରହୁଥିବା କୁମାୱତ ସମ୍ପ୍ରଦାୟରେ ଜାରି ହୋଇଛି ।
କୁମାୱତ ସମାଜ ଏକ ସଭାରେ ଏକ ସଂକଳ୍ପ ପାରିତ କରିଛି ଯେ, ଯଦି ବର କ୍ଲିନ୍ ସେଭରେ ନଥାଏ, ତେବେ ସେ ବାହାହେବା ପାଇଁ ସମର୍ଥ ହେବେ ନାହିଁ । କୁମାୱତ ସମାଜର ୧୯ ଟି ଗାଁର ପ୍ରତିନିଧୀମାନେ ଏକ ବୈଠକରେ ଏହି ନୂଆ ନିୟମ ସହ ଜଡିତ ଏକ ପ୍ରସ୍ତାବ ପାରିତ କରିଛନ୍ତି । ଏହି ଅନୁଯାୟୀ, ଗାଁର ଯେକୌଣସି ପରିବାରରେ ବିବାହରେ ବର କ୍ଲିନ୍ ସେଭ୍ କରିବା ବାଧ୍ୟତାମୂଳକ ।
ଦାଢ଼ି ଥିବା ବରକୁ ‘ନୋ ଏଣ୍ଟ୍ରି’ ଓ କ୍ଲିନ୍ ସେଭକୁ ନେଇ ସମାଜର ଲୋକମାନେ ଯୁକ୍ତି ମଧ୍ୟ ରଖିଛନ୍ତି । ତାଙ୍କ କହିବା ମୁତାବକ, ବାହାଘର ବେଳେ ଆମକୁ ଫ୍ୟାସନର କୌଣସି ଆବଶ୍ୟକତା ନାହିଁ । ବର ଅନେକ ଷ୍ଟାଇଲରେ ଦାଢ଼ି ରଖି ବାହାଘର ରୀତିନୀତି କରନ୍ତି, ଯାହାକି ସମାଜ ପାଇଁ ଅଶୋଭନୀୟ ବୋଲି ସେମାନେ କହିଛନ୍ତି । ଯଦି ବିବାହ ସମୟରେ ବର ଏହି ନୂଆ ନିୟମ ପାଳନ ନକରନ୍ତି, ତେବେ ତାଙ୍କୁ ଦଣ୍ଡିତ କରାଯିବ । ଦଣ୍ଡ ସ୍ୱରୂପ ତାଙ୍କୁ ସମାଜରୁ ବହିଷ୍କାର କରାଯାଇପାରେ ବୋଲି କୁହାଯାଉଛି ।