Gen-Z ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟଧିକ ବଳପ୍ରୟୋଗ ହୋଇନି : ରିଜିଜୁ

ନୂଆଦିଲ୍ଲୀ : ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମୟରେ ପୁଲିସର ଅତ୍ୟଧିକ ବଳପ୍ରୟୋଗକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ହୋହଲ୍ଲା ମଧ୍ୟରେ ଧୋଇ ଯାଇଛି। ତେବେ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ ଖଣ୍ଡନ କରିଛନ୍ତି। କୌଣସି ଆନ୍ଦୋଳନକାରୀ ମଧ୍ୟ ବ୍ୟାପକ ଭାବେ ଆହତ ହୋଇନାହାନ୍ତି ବୋଲି ସେ କହିଛନ୍ତି।

ଅଗଷ୍ଟ ୧୩ ତାରିଖରେ ମୌସୁମୀ ଅଧିବେଶନ ଶେଷ ହେବାପରେ ରିଜିଜୁ ଆଜି ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହି ଟିପ୍ପଣୀ ଦେଇଛନ୍ତି। ବିରୋଧୀ ଦଳ ଅଭିଯୋଗ କରିଥିଲା ଯେ ଆନ୍ଦୋଳନକାରୀଙ୍କ ବିରୋଧରେ ପେଲେଟ୍ ଗନ୍ ସମେତ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଥିଲା। ସଂସଦରେ ସରକାରଙ୍କଠାରୁ ଏନେଇ ଜବାବ ମଗାଯାଇଥିଲା। ତେବେ ରିଜିଜୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ବ୍ୟାପକ ଭାବେ କେହି ଆହତ ହୋଇନାହାନ୍ତି। ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ପଚରାଯିବାରୁ ରିଜିଜୁ କହିଥିଲେ ହଜାର ହଜାର ଲୋକ ସାମିଲ ଥିବା ଏକ ଆନ୍ଦୋଳନରେ ଯଦି ଏଭଳି ଅସ୍ତ୍ର ବ୍ୟବହାର ହୋଇଥାନ୍ତା, ତେବେ ଅନେକ ଲୋକ ଆହତ ହୋଇଥାନ୍ତେ।

ରିଜିଜୁ କହିଛନ୍ତି, ପେଲେଟ୍ ଗନ୍‌ରେ ଏକାଧିକ ପେଲେଟ୍ ଥାଏ। ଏହା ଗୋଟିଏ ଗୁଳି ନୁହେଁ। ଯଦି କେବଳ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି, ତେବେ ଏହା କିପରି ଘଟିଲା ତାହା ମଧ୍ୟ ଦେଖିବାକୁ ପଡ଼ିବ। ଏତେ ବଡ଼ ଆନ୍ଦୋଳନରେ ଯେଉଁଠାରେ ହଜାର ହଜାର ଲୋକ ଥିଲେ, ଯଦି ପେଲେଟ୍ ଗନ୍ ବ୍ୟବହାର ହୋଇଥାନ୍ତା, ତେବେ କେତେ ଲୋକ ଆହତ ହୋଇଥାନ୍ତେ ବୋଲି ରିଜିଜୁ କହିଛନ୍ତି।ସୁପ୍ରିମକୋର୍ଟରେ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ ମଧ୍ୟ ରିଜିଜୁଙ୍କୁ ପଚରାଯାଇଥିଲା। ସେ କହିଥିଲେ ଯେ ପ୍ରଥମେ ଅଦାଲତ ଏହି ମାମଲାର ପରୀକ୍ଷା କରିବେ ଏବଂ ଏହି ପର୍ଯ୍ୟାୟରେ ଏନେଇ କିଛି କହିହେବ ନାହିଁ। ରିଜିଜୁ ପୂର୍ବତନ କଂଗ୍ରେସ ସରକାର ସମୟରେ କାଶ୍ମୀରରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, ‘କଂଗ୍ରେସ ଶାସନ ସମୟରେ କାଶ୍ମୀରରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିଲା। କଂଗ୍ରେସ ସରକାର ସମୟରେ ବିଭିନ୍ନ ସ୍ଥାନରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିଲା।