ବନ୍ୟା ବିପନ୍ନଙ୍କୁ ସାଥ ହେଉନି ପ୍ରଶାସନ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପ୍ରଶାସନ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହଯୋଗ ଓ ସହାୟତା ଦେବା ପରିବର୍ତ୍ତେ ଅବହେଳା ପ୍ରଦର୍ଶନ କରୁଥିବାର ବିପନ୍ନ ଲୋକେ କହନ୍ତି। ବ୍ଲକର ବରକନ୍ଧl ପଂଚାୟତ ୭ ନମ୍ବର ୱାର୍ଡର ଲୁଣା ନଦୀ କୁଳିଆ ୧୨ରୁ ଅଧିକ ପରିବାର ଶନିବାର ଠାରୁ ବନ୍ୟା ଜଳ ଘେରରେ ଜଳ ବନ୍ଦୀ ଜୀବନ ବିତାଉଛନ୍ତି। ଗୋଖାଖଟି ଗାଁର ସମ୍ପୃକ୍ତ ୱାର୍ଡର କିଛି ପରିବାର ଘରେ ପାଣି ପଶିବା ପରେ ରୋଷେଇବାସ ବନ୍ଦ କରି ପଡା ମୁଣ୍ଡ ଅର୍ଦ୍ଧ ନିର୍ମିତ କ୍ଲବ ଘରେ ଆଶ୍ରୟ ନେଇଛନ୍ତି। ସେପଟେ ଆଉ କେତକ ପରିବାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ଜଳବନ୍ଦୀରେ ଜୀବ ଜନ୍ତୁ ଭୟରେ ଘରେ ଅଛନ୍ତି। କିନ୍ତୁ ଦୁଃଖର କଥା ୱାର୍ଡର ସନ୍ତୋଷ ଖଟୁଆ ଓ ପ୍ରକାଶ ଖଟୁଆ ଗୋlଜବନ୍ଧ ଗାଁ ପଟେ ନଦୀକୁ ଲାଗି ଥିବା ଭଙ୍ଗା ଚାଳଛପର ଘରେ ନରହି ନିଜନିଜର ପରିବାରର ସୁବିଧା ନେଉ ବ୍ୟବସ୍ଥା କରୁଛନ୍ତି। ବନ୍ୟା ଜଳରେ ଘରୁ ବାହାରକୁ ଯାତାୟତ ନିମନ୍ତେ ପଂଚାୟତ ଜରିଆରେ ପ୍ରଶାସନକୁ ଡଙ୍ଗି ପାଇଁ ଅନୁରୋଧ କରି ବିଫଳ ହେବାରୁ ଭଡ଼ାରେ ଡଙ୍ଗି ଆଣି ଚଳୁଛନ୍ତି। ନଦୀବନ୍ଧ ଆରପଟେ ଥିବା ପଡୋଶୀ ଘରେ ନିଜନିଜର ଛୋଟ ପିଲା ଓ ବୟସ୍କଙ୍କୁ ଛାଡି ମୁରବିମାନେ ଜୀବନକୁ ବାଜି ଲଗାଇ ଘରେ ରହୁଛନ୍ତି। ମଧ୍ୟାହ୍ନରେ ଆର ସାହିରେ ନିରାପଦ ସ୍ଥାନରେ ଥିବା ପିଲା ବୁଦ୍ଧଙ୍କୁ ଡଙ୍ଗିରେ ଆଣି ଖାଇବାକୁ ଦେଇ ଛାଡୁଛନ୍ତି। ସଉଦା ପତ୍ର, ଗୋରୁ ଖାଦ୍ୟ ପାଇଁ ମଧ୍ୟ ଡଙ୍ଗି ଉପରେ ନିର୍ଭର କରିବାକୁ ପଡୁଛି। ଡ଼ଙ୍ଗା ଓ ଚାଳକ ଭଡା ଅଧିକ ହେବାରୁ କେବଳ ଡଙ୍ଗି ଭଡାକୁ ଆଣି ନିଜେ ନିଜେ ଚାଳକ ସାଜିଛନ୍ତି।

ଆବାସ ଯୋଜନାରେ ନାଁ ଥିଲେ ବି ପକ୍କା ଗୃହ ନ ମିଳିବାରୁ ଭଙ୍ଗା ଚାଳଛପର ଘରେ ମୁଣ୍ଡ ଗୁଂଜିଛନ୍ତି। ଆଉ ପୁରୁଷ ପୁରୁଷ ଧରି ସେହି ନଦୀ ପଠାରେ ଏହି ଦୁଇ ପରିବାର ସହିତ କେତକ ପଡୋଶୀ ରହୁଥିଲେ। କିନ୍ତୁ ବହୁ ହାରୀ ଗୁହାରୀ ପରେବି ପ୍ରଶାସନ ଦୀର୍ଘ ଦିନ ଧରି ସବୁଦିନିଆ ରାସ୍ତା କଣ ମାଟିରାସ୍ତା ଟିଏ କରିନାହାଁନ୍ତି। ଯାହା ନେଇ ଦୁଇ ପରିବାରର ଅନ୍ୟ ପଡୋଶୀମାନେ ସୁବିଧା ହେବାରୁ ସେହି ଜାଗାରୁ ଅଧା ନଈ ଖିଆ ଘର ଢିଅ ଛାଡି ଦେଇଛନ୍ତି। ମାତ୍ର ସମ୍ପୃକ୍ତ ଦୁଇ ପରିବାର ଅର୍ଥ ଅଭାବରୁ ରାସ୍ତାଘାଟ ଶୂନ୍ୟ ଘର ଢିଅରେ ପଡି ରହିଛନ୍ତି। କେବଳ ୧୯୯୯ ମସିହା ମହାବାତ୍ୟା ପରେ ଢ଼ୀଅକୁ ଲାଗି ଥିବା ସରକାରୀ ନଳକୂପକୁ ଛାଡିଲେ ପ୍ରଶାସନ ସେମାନଙ୍କ ପାଇଁ ଅନ୍ୟ କିଛି ସୁବିଧା କରି ନଥିବାର ଖଟୁଆ ପରିବାରର ପୁରୁଷ କଣ ମହିଳା ମାନେ ବି କହନ୍ତି। ପ୍ରାଶସନିକ ଅବହେଳାରୁ ଏହି ଦୁଇ ପରିବାର ଲୋକଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ହୋଇପଡୁଛି। ପ୍ରଶାସନ ଆଢୁଆଳରେ ରହି ଯାଉଥିବା ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।