ନୂଆଦିଲ୍ଲୀ: ଯେତେବେଳେ ବି ଆମେ କୌଣସି ହାଇୱେ ଉପରେ ଯାଉ, ସେବେ ଲମ୍ବା ଲାଇନର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏଥିରୁ ମୁକ୍ତି ପାଇବ ପାଇଁ Fastag ଲାଗୁ ହୋଇଛି । କିନ୍ତୁ ଏହା ପରେ ବି ଟୋଲ ପ୍ଲାଜାରେ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଏହାରି ମଧ୍ୟରେ ଏବେ ଆହୁରି ହାଇଟେକ ହେବାର ସମୟ ଆସିଛି । ଏଥିପାଇଁ ଏବେ ANPR (ଅଟୋମେଟିକ୍ ନମ୍ୱର ପେଲ୍ଟ ରିଡର) ସିଷ୍ଟମ ଲାଗୁ କରାଯିବ।
କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏହି ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛି । ରାଜସ୍ଥାନରେ ଏନଏଚଏଆଇ ଏହିପରି ଏକ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ନିର୍ମାଣ କରୁଛି । ଏଥିରେ ଗୋଟିଏ ବି ଟୋଲ ବୁଥ ରହିବ ନାହିଁ । ଏହାର ସବୁଠୁ ବଡ଼ ଲାଭ ହେଉଛି ଗାଡି ମାଲିକ ହାଇୱେରେ ଯେକିତି ଦୂର ଯାଇଥିବେ ସେତିକି ହିଁ ଟଙ୍କା ଦେବେ । ରାଜସ୍ଥାନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସରୁ ଏହାର ଆରମ୍ଭ ହେବ ।
ପଞ୍ଜାବର ଅମୃତସରରୁ ଆରମ୍ଭ ହୋଇ ଗୁଜରାଟର ଜାମନଗର ଯାଏଁ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନ ସହ ଯୋଡି ହେବ । ପଞ୍ଜାବ, ହରିୟାଣା ଏବଂ ଆରବ ସାଗରର ବନ୍ଦର ସହ ଏହା ଯୋଡି ହେବ । ଭାରତ ମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନରେ ୬୩୭ କିଲୋମିଟର ରହିଛି । ଅନ୍ୟପଟେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ପୂରା ପ୍ରକଳ୍ପର ମୋଟ ଲମ୍ୱ ୧,୨୨୪ କିଲୋମିଟର । ଏହି ପ୍ରୋଜେକ୍ଟ ଉପରେ ପ୍ରାୟ ୧୪, ୭୦୭ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ ରହିଛି ଏବଂ ୨୦୨୩ ସେପ୍ଟେମ୍ୱର ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାତ୍ରୀମାନେ ଏହି ମାର୍ଗରେ କମ୍ ମୋଡ଼ ପାଇବେ ।