ପୁରୀ, ୩୦/୩ : ପିପିଲି ଉପନିର୍ବାଚନ ଲାଗି ମାନାଙ୍କନ ପତ୍ର ଦାଖଲ ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ନିଜ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପିପିଲିରୁ ଶୋଭାଯାତ୍ରାରେ ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପିପିଲିରୁ ଶୋଭାଯାତ୍ରାରେ ବାହାରି ପୁରୀରେ ନାମାଙ୍କନ ଭରିଛନ୍ତି । ଆଜି ସକାଳେ ଡେଲାଙ୍ଗ ସୋମନାଥ ମନ୍ଦିରରେ ପୂଜାଚର୍ଚ୍ଚନା କରିବା ପରେ ସେ ପିପିଲି ବିଜେଡି କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ମନ୍ତ୍ରୀ ସମୀର ଦାସ, ପଦ୍ମୀନି ଦିଆନ, ବରିଷ୍ଠ ନେତା ବିଧାୟକ ଦେବୀ ମିଶ୍ର , ସାଂସଦ ପିନାକୀ ମିଶ୍ର, ବରିଷ୍ଟ ନେତା ମହେଶ୍ବର ମହାନ୍ତି ପ୍ରମୁଖ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି । ଅଜିତ ପୂଜାର୍ଚ୍ଚନା କରିବା ପରେ ନିଜ ନେତା କର୍ମୀ ଓ ସମର୍ଥକଙ୍କୁ ନେଇ ଡେଲାଙ୍ଗରୁ ଏକ ରାଲିରେ ବାହାରିଥିଲା । ଶୋଭାଯାତ୍ରା ପୁରୀରେ ପହଂଚିବା ପରେ ଦଳୀୟ ନେତାଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଜିତ ମଙ୍ଗରାଜ ।
ସେପଟେ ଆଗୁଆ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ପ୍ରଚାରକୁ ଜୋର ଦାର କରିଛନ୍ତି । ବିଜେପି ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛନ୍ତି। ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ୬ ଜଣ ସାଂସଦ, ଦଳର ବରିଷ୍ଠ ନେତା ଓ ଅଭିନେତାମାନଙ୍କ ନାଁ ରହିଛି। ନିର୍ବାଚନରେ ଶାସକ ଦଳ ପ୍ରଶାସନ କଳର ଅପବ୍ୟବହାର କରିବା ଅଭିଯୋଗ କରି ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ।