ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଆମିଷ ଓ ନିରାମିଷ ଖାଦ୍ୟ

ନୂଆଦିଲ୍ଲୀ, ୦୬/୦୨ : ବନ୍ଦେ ଭାରତ ସ୍ଲିପରରେ ଯାତ୍ରୀମାନଙ୍କୁ ଅନେକ ସୁବିଧା ମିଳୁଛି । ଦେଶରେ ବନ୍ଦେ ଭାରତ ସ୍ଲିପର ପ୍ରଥମେ ହାୱଡାରୁ କାମାକ୍ଷା ମଧ୍ୟରେ ଚାଲୁଛି । ଏହି ଟ୍ରେନରେ ଯାଉଥିବା ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିକର ଖବର ଆସିଛି । ପୂର୍ବ ସଂସ୍କରଣ ତୁଳନାରେ ଏହି ହାଇ-ଟେକ୍ ଟ୍ରେନ୍ ରେ ଖାଇବା ବିକଳ୍ପଗୁଡ଼ିକୁ ଯଥେଷ୍ଟ ଉନ୍ନତ କରାଯାଇଛି । ଯାତ୍ରୀମାନେ ଖୁବ୍ ଶୀଘ୍ର ନିରାମିଷ ସହିତ ଆମିଷ ଖାଦ୍ୟର ସୁବିଧା ପାଇପାରିବେ । ଯାତ୍ରୀଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି । କେବଳ ନିରାମିଷ ଖାଦ୍ୟ ଯୋଗୁଁ ଯାତ୍ରୀମାନଙ୍କର ଅସୁବିଧା ହେଉଥିଲା । କିନ୍ତୁ ଏବେ ରେଲୱେ ଘୋଷଣା କରିଛି ଯେ, ମେନୁରେ ଆମିଷ ଖାଦ୍ୟ ସାମିଲ କରାଯାଇଛି । ଯାହା ଦ୍ଵାରା ଯାତ୍ରୀମାନେ ସେମାନଙ୍କର ପସନ୍ଦର ଖାଦ୍ୟ ଖାଇପାରିବେ । ୧୭ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଟ୍ରେନରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ଯାତ୍ରୀମାନେ ପାଉଥିଲେ । ପଶ୍ଚିମବଙ୍ଗ ଏବଂ ଆସାମ ଭଳି ରାଜ୍ୟର ଅଧିକାଂଶ ଲୋକ ଆମିଷ ଖାଇବାକୁ ପସନ୍ଦ କରିଥାଆନ୍ତି । ଫଳରେ ଯାତ୍ରୀମାନେ ଖାଇବା ପାଇଁ ହଇରାଣ ହେଉଥିଲେ । ଏହି ପ୍ରସଙ୍ଗ ରାଜନୈତିକ ବିତର୍କକୁ ମଧ୍ୟ ଆରମ୍ଭ କରିଛି । ଯାତ୍ରୀଙ୍କ ପ୍ରତିକ୍ରିୟା ଏବଂ ଆଞ୍ଚଳିକ ସଂସ୍କୃତିକୁ ବିଚାରକୁ ନେଇ, ରେଳବାଇ ମେନୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଫେବୃଆରୀ ୧ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଖୁବ୍‌ଶୀଘ୍ର ନିରାମିଷ ଏବଂ ଆମିଷ ବିକଳ୍ପ ମଧ୍ୟରୁ ଗୋଟିଏ ଅପସନ୍ ଦିଆଯି । ଯାତ୍ରୀମାନେ ଟିକେଟ୍ ବୁକ୍ କରିବା ସମୟରେ ନିରାମିଷ କିମ୍ବା ଆମିଷ ଅପସନକୁ ବାଛିପାରିବେ । ଏହି ଆମିଷ ମେନୁରେ ଚିକେନ୍, ମାଛ ଏବଂ ଅଣ୍ଡାକୁ ଏଥିରେ ସାମିଲ କରାଯିବ । ଯାତ୍ରୀମାନଙ୍କ ନିରାମିଷ ଖାଦ୍ୟରେ ପନିର ମସଲା ଏବଂ ଆମିଷ ଖାଦ୍ୟରେ ଚିକେନ ସୁବିଧା ଦିଆଯିବ । ଏହି ଖାଦ୍ୟ ବଙ୍ଗାଳୀ କିମ୍ବା ଆସାମୀ ସ୍ୱାଦ ଅନୁସାରେ ପ୍ରସ୍ତୁତ କରାଯିବ । ପ୍ଲେଟର ବାକି ମେନୁ ସମାନ ରହିବ । ଯେଉଁଥିରେ ଜିରା କର୍ନ୍ନ ପୁଲାଓ, ତେହର ପରଟା, ମିଶ୍ରିତ ଡାଲ, ଆସାମୀ-ଶୈଳୀର ବିନ୍ସ ଏବଂ ମିଠା ପାଇଁ ରସଗୋଲା ସାମିଲ ରହିବ ।