ଆଜି ଫୁଲ ଛାଡ଼ଖାଇ: ମାଂସ ମାର୍କେଟରେ ଜମିଛି ଭିଡ

ଭୁବନେଶ୍ୱର, ୦୭/୧୧ : ଆଜି ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡ଼ଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। କିନ୍ତୁ ଗତକାଲି ଛାଡ଼ଖାଇରେ ଫାଙ୍କା ଫାଙ୍କା ଥିଲା ଆମିଷ ବଜାର । ମାର୍ଗଶୀର ମାସ ଗୁରୁବାର ପଡୁଥିବାରୁ ଆମିଷ ବଜାରରେ ବେପାର ମାନ୍ଦା ହୋଇଥିଲା। ଆଜି ଶୁକ୍ରବାର ଆମିଷ ବାରି ଥିବାରୁ ଆମିଷ ବଜାରରେ ଭିଡ଼ । ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି । ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି , କଙ୍କଡ଼ା ଆଦି ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି ।

ରାଜ୍ୟର ସକାଳୁ ସକାଳୁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଦାମକୁ ନଦେଖି ନିଜ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ ଗ୍ରାହକ । ଗୋଟିଏ ମାସର ବ୍ୟବଧାନ ପରେ ଛାଡଖାଇରେ ଭଳ ବ୍ୟବସାୟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ । ଗତକାଲି ଗୁରୁବାର ଥିବାରୁ କାଁ ଭାଁ ଲୋକ ଆମିଷ ଖାଇଥିଲେ । ତେବେ ଆଜି ଭେରାଇଟ ଆମିଷ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମିଛି । ଚଳିତବର୍ଷ ଛାଡ଼ଖାଇ ପାଳିବା ପାଇଁ କଟକ ଓ ଭୁବନେଶ୍ବର ସହରର ହୋଟେଲଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। କେଉଁଠି ଖାସିମାଂସ ଝୋଳ ତ’ କେଉଁଠି ଚିଙ୍ଗୁଡ଼ି ଓ ଚିକେନ୍‌ ପାଇଁ ଆଗୁଆ ଅର୍ଡର୍‌ ଦେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ହୋଟେଲ୍‌ ମାଲିକମାନେ। ଏପରିକି ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ହୋମ୍‌ ଡେଲିଭରି ପାଇଁ ଅର୍ଡର୍‌ ନେଇ ଚମତ୍କାର ଅଫର ରଖିଥିବା ଦେଖିବାକୁ ମିଳିଛି ।